Odia News Portal

ଓଡ଼ିଶା ପୁରୁଷ ହକି ବିଶ୍ୱକପ: ବେଲଜିୟମ୍‌ ବିଶ୍ୱ ବିଜେତା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ବେଲଜିୟମ୍‌ ଚାମ୍ପିଅନ୍‌ ହୋଇଛି। ବିଶ୍ୱ ବିଜେତା ଭାବରେ ନିଜର ନୂତନ ପରିଚୟ ସୃଷ୍ଟି କରି ଇତିହାସ ରଚିଛି। ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ନେଦରଲାଣ୍ଡସ୍‌କୁ ପେନାଲଟି ସୁଟ୍‌ଆଉଟ୍‌ରେ ୩-୨ ଗୋଲରେ ପରାସ୍ତ କରିଛି।

ଚଳିତ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ ରୋମାଂଚକ ଥିଲା। ବେଲଜିୟମ୍‌ ଯଦିଓ ଶନିବାର ଇଂଲଣ୍ଡ ବିପକ୍ଷରେ ଏକତରଫା ୬-୦ ଗୋଲରେ ବିଜୟୀ ହୋଇଥିଲା, ନେଦରଲାଣ୍ଡସ୍‌ର ଖେଳାଳିଙ୍କ ସମ୍ମୁଖରେ ଆଜି ପ୍ରାଧାନ୍ୟ ବିସ୍ତାର କରିପାରୁ ନଥିଲା। ମ୍ୟାଚ୍‌ରେ କୌଣସି ଗୋଲ ନ ହେବା ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ର ସାହାଯ୍ୟ ନିଆଯାଇଥିଲା। ପ୍ରଥମ ଥର ଚାମ୍ପିଅନ ହୋଇ ଇତିହାସ ରଚିଥିବା ବେଲଜିୟମ୍‌ ପାଇଁ କଳିଙ୍ଗ ହକି ଗ୍ରାଉଣ୍ଡ ସ୍ମରଣୀୟ ରହିବ। ସେହିପରି ବିଶ୍ୱକପ୍‌ର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡସ୍‌ ମଧ୍ୟ ଭୁବନେଶ୍ୱରର ଅନୁଭୂତି ଭୁଲି ପାରିବ ନାହିଁ। ଫାଇନାଲ ମ୍ୟାଚ୍‌ରେ ଭାରତ ରତ୍ନ ତଥା ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ସ୍ୱତନ୍ତ୍ର ଆକର୍ଷଣ ସାଜିଥିଲେ।

କଳିଙ୍ଗ ଷ୍ଟାଡିୟମ୍‌ର ପରିବେଶକୁ ଦେଖି ସଚିନ ବହୁତ ଖୁସି ଅନୁଭବ କରିଥିଲେ। ଅପରପକ୍ଷେ ଦର୍ଶକମାନେ ମଧ୍ୟ ସଚିନଙ୍କୁୁ ଦେଖି ଉତ୍ସାହିତ ଅନୁଭବ କରିଥିଲେ। ଦର୍ଶକମାନଙ୍କ ସଚିନ…ସଚିନ ଶ୍ଲୋଗାନରେ କଳିଙ୍ଗ ହକି ଗ୍ରାଉଣ୍ଡ ଉଛୁଳି ପଡ଼ିଥିଲା। ସଚିନ ପହଂଚିବା ପରେ ଦର୍ଶକମାନେ କିଛି ସମୟ ପାଇଁ ହକିକୁ ଭୁଲିଯାଇ କ୍ରିକେଟକୁ ମନେ ପକାଇଥିଲେ।