Odia News Portal

ଭୁବନେଶ୍ବରରେ ଜାଗି-ମୋହନ ଭାଗବତ ଭେଟଘାଟ

ଭୁବନେଶ୍ବର () ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଆଜି ତାଙ୍କ ଗସ୍ତର ଶେଷ ଦିନ ହୋଇଥିବା ବେଳେ ଗତକାଲି ତାଙ୍କୁ ଭୁବନେଶ୍ବରସ୍ଥିତ ଆରଏସଏସ କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଭେଟିଥିଛନ୍ତି । ଏହି ଭେଟଘାଟ ସଂପର୍କରେ ଆରଏସଏସ କାର୍ଯ୍ୟାଳୟ କି ଜାଗି ମଙ୍ଗତଙ୍କ କାର୍ଯ୍ୟାଳୟ କିଛି ସ୍ପଷ୍ଟ କରିନି । କିନ୍ତୁ ଉଭୟଙ୍କ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ବୈଜୟନ୍ତ ରାଜନୈତିକ ଭବିଷ୍ୟତକୁ ନେଇ ମଧ୍ୟ ନୂଆ ସମୀକରଣ ସୃଷ୍ଟି କରୁଛି ।

ଭାଗବତ ଗତ ତିନ ଦିନ ଧରି ପଶ୍ଚିମବଙ୍ଗ ଓ ଓଡିଶାରେ ଆରଏସଏସର ରାଜନୈତିକ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି । ଏଥିସହିତ ଆସନ୍ତା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ଏଭଳି ଏକ ସ୍ଥିତିରେ ଜାଗିମଙ୍ଗତ ତାଙ୍କୁ ଭେଟିବାର କାରଣ କଣ ହୋଇଥାଇପାରେ ବୋଲି ଭୃକୁଞ୍ଚନ ସୃଷ୍ଟି ହୋଇଛି ।

ବିଜେପି ସହ ଘନିଷ୍ଠତା କାରଣରୁ ବିଜେଡି ବିରୋଧରେ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ବିଜେଡିରୁ ବିଦା ହୋଇଥିବା ବୈଜୟନ୍ତ ପଣ୍ଡା ବିଜେପିରେ କେବେ ଯୋଗଦେବେ ସେ ନେଇ କିଛି ସ୍ପଷ୍ଟ କରୁନାହାଁନ୍ତି । କିନ୍ତୁ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମଗୁଡିକ ବିଜେପି ଅଭିମୁଖୀ ବୋଲି ସ୍ପଷ୍ଟ ବାରି ହେଉଛି । ବିଜେପି ସୂତ୍ର ଅନୁଯାୟୀ ଜାନୁଆରୀ ପହିଲାରୁ ବୈଜୟନ୍ତ ନୂଆ ରାଜନୈତିକ ସମୀକରଣରେ ପାଦ ଥାପିବେ । ତେଣୁ ଭାଗବତଙ୍କୁ ଭେଟି ଜାଗିମଙ୍ଗତ ବୈଜୟନ୍ତଙ୍କ ରାଜନୈତିକ ବାଟକୁ ସୁଗମ କରୁଛନ୍ତି ନା ବିଜେପିରେ ଯୋଗ ଦେବା ଆଗରୁ ଦଳର ତୃଣମୂଳ ରାଜନୀତିରେ ସାମିଲ ହେବାକୁ ଚେଷ୍ଟା କରୁଛନ୍ତି ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

କିଛି ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 24 ତାରିଖରେ ଓଡିଶା ଗସ୍ତରେ ଆସୁଥିବା ଅବସରରେ ବୈଜୟନ୍ତ ବିଜେପିରେ ଯୋଗ ଦେବେ । ଆଉ କିଛି ସୁତ୍ର କିନ୍ତୁ ଏହାକୁ ଅସ୍ବୀକାର କରୁଛନ୍ତି । ସେମାନଙ୍କ ଅନୁଯାୟୀ ବୈଜୟନ୍ତ ଦିଲ୍ଲୀରେ ବିଜେପିରେ ମିଶିବେ, ତାହା ପୁଣି ନୂଆ ବର୍ଷରେ । ଏଭଳି ଏକ ଗୋଳିଆ ରାଜନୈତିକ ଦୃଶ୍ୟପଟ ମଧ୍ୟରେ ଭାଗବତ ଓ ଜାଗିମଙ୍ଗତଙ୍କ ଭେଟଘାଟ ନିଶ୍ଚିତ ଭାବେ ରାଜନୈତିକ ଗୁରୁତ୍ବ ବହନ କରୁଛି ।