ଅଷ୍ଟ୍ରେଲିୟା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ୨୮୭ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ମାତ୍ର ୧୪୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଏହି ବିଜୟ ଫଳରେ ଘରୋଇ ଅଷ୍ଟ୍ରେଲିଆ ଦଳ ୪ଟିକିଆ ସିରିଜ୍କୁ ୧-୧ରେ ବରାବର କରିଛି।ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ଗତକାଲି ୪ର୍ଥ ଦିନ ଶେଷ ସୁଦ୍ଧା ଭାରତ ୫ ୱିକେଟ୍ ହରାଇ ୧୧୨ ରନ୍ କରିଥିଲା। ଷ୍ଟମ୍ପ ଅପସାରଣ ବେଳକୁ ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ରିଷଭ ପନ୍ତ ୯ ରନ୍ ଓ ହନୁମା ବିହାରୀ ୨୪ ରନ୍ କରି ଅପରାଜିତ ରହିଥିଲେ।
ବିଜୟଠାରୁ ୧୭୫ ରନ୍ ଦୂରରେ ଥିବା ଭାରତୀୟ ଦଳ ଆଜି ଶେଷ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା। ହନୁମା ଗତକାଲିର ରନ୍ରେ ମାତ୍ର ୪ ରନ୍ ଯୋଡ଼ି ୨୮ ରନ୍ରେ ଆଜି ପ୍ରଥମେ ଆଉଟ୍ ହୋଇଥିଲେ। ଗତକାଲିର ଅପରାଜିତ ବ୍ୟାଟ୍ସମ୍ୟାନ୍ ପନ୍ତ କିଛିଟା ସଂଘର୍ଷ କରିଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ। ଆଜି ନିଜ ସ୍କୋରରେ ଆଉ ୨୧ ରନ୍ ଜୋଡ଼ି ପନ୍ତ ମୋଟ ୩୦ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବ ୨ କରିଥିବା ବେଳେ ଯଶପ୍ରୀତ ବୁମ୍ରା ଏବଂ ଇଶାନ୍ତ ଶର୍ମା ଖାତା ଖୋଲି ପାରି ନଥିଲେ। ସେହିପରି ମହମ୍ମଦ ଶାମି ଖାତା ନଖୋଲି ଅପରାଜିତ ରହିଥିଲେ।