ଭୁବନେଶ୍ୱର : ହାତ ଧରାଧରି ହୋଇ ବିଜେପି ଛାଡିଥିବା ବିଧାୟକ ଦିଲ୍ଲୀପ ରାୟ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଭବିଷ୍ୟତ ଧିରେ ଧିରେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଉଛି । ବିଜେଡି ପ୍ରତିଷ୍ଠା ଦିବସରେ ଏହି ଦୁଇ ନେତା ମିଶିବାନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ସେଥିରେ ପୂର୍ଣ୍ଣଛେଦ ପଡିଥିବାବେଳେ ଏମାନଙ୍କୁ ଦଳକୁ ନେବାପାଇଁ ନବୀନ ବି ସେଭଳି କିଛି ସୂଚନା ଦେଇନାହାନ୍ତି ।
ଦିଲ୍ଲୀୟ ଓ ବିଜୟ ଉଭୟ ଥିଲେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ । ଦିଲ୍ଲୀପ ରାଉରକେଲାରୁ ବିଧାୟକ ଥିବାବେଳେ ବିଜୟ ବିଧାନସଭାରେ ବାହାରେ ଦୀର୍ଘଦିନ ହେଲା ରହିଛନ୍ତି । ଏହି ଦୁଇ ନେତା ବିଜେପିକୁ ଦୋଷ ଦେଇ ଦଳ ଛାଡିବାପରେ ସେମାନେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଏମାନେ ଦଳର ପ୍ରତିଷ୍ଠା ଦିବସରେ ମିଶିବେ ବୋଲି ଗୁଜବ ବି ଚାଲିଥିଲା । ହେଲେ ଗତକାଲି ବିଜୟ ଦିବସ ପାଳନ ହୋଇଥିବାବେଳେ ସେଭଳି କିଛି ଘଟିନାହିଁ । ଏପରିକି ଏହି ଦୁଇ ନେତାଙ୍କୁ ନେଇ ଆଉ ବିଜେଡିରେ ଚର୍ଚ୍ଚା ବି ନାହିଁ ।
ବିଜେପି ଛାଡିବା ମାତ୍ରେ ଦିଲ୍ଲୀପ ସିଧା ବିଦେଶ ଗସ୍ତରେ ଯାଇଥିବାବେଳେ ଏପର୍ଯ୍ୟନ୍ତ ଓଡିଶା ଫେରିନାହାନ୍ତି । ଅନ୍ୟ ପକ୍ଷରେ ବିଜୟ ବି ଏବେ ଏକ ପ୍ରକାର ନିରବ । ଦିଲ୍ଲୀପ ରାଉରକେଲା ଛାଡିଲା ପରେ କେଉଁଠାରୁ ଓ କେଉଁ ଦଳରୁ ପ୍ରାର୍ଥୀ ହେବେ ସେ ନେଇ କୌଣସି ସୂଚନା ନାହିଁ । ତାଙ୍କର ବିଜେଡିରେ ମିଶିବାରେ କୌଣସି ସମସ୍ୟା ନାହିଁ ବୋଲି କୁହାଯାଉଥିବାବେଳେ ବିଜୟଙ୍କୁ ନେଇ ଦ୍ୱନ୍ଦ ରହିଛି । ବିଜେଡିର ଗୋଟିଏ ଗୋଷ୍ଠି ବିଶେଷକରି କେନ୍ଦ୍ରାପଡା ରାଜନୀତିରେ ସକ୍ରିୟ ଥିବା ନେତାମାନେ ବିଜୟ କିଭଳି ବିଜେଡିକୁ ନଆସିବେ ସେଥିପାଇଁ ଜୋରଦାର ଲବି କରୁଛନ୍ତି । କାରଣ ବିଜୟ ଯଦି ବିଜେଡିକୁ ଆସିବେ ତେବେ କେନ୍ଦ୍ରାପଡା ରାଜନୀତି ସମ୍ପୂର୍ଣ୍ଣ ଭାବେ ତାଙ୍କ ହାତମୁଠାକୁ ଚାଲିଯିବ । ବିଜୟଙ୍କର ଏବେ ବି କେନ୍ଦ୍ରାପଡା ରାଜନୀତିରେ ଯଥେଷ୍ଟ ପ୍ରଭାବ ରହିଛି । ବିଜେପି ଛାଡିବାପରେ ଓଳାଶୁଣି ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଏହା ଦେଖିବାକୁ ମିଳିଥିଲା ।
ଅନ୍ୟ ପକ୍ଷରେ ଦିଲ୍ଲୀପ ରାୟଙ୍କୁ ବିଜେଡି ପ୍ରଶାନ୍ତ-ସୌମ୍ୟ-ଅଚ୍ୟୁତ ଷ୍ଟାଇଲ୍ରେ ରାଜ୍ୟସଭା ପଠାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ହଠାତ ରାଜ୍ୟସଭାରୁ ଜଣେ ସାଂସଦଙ୍କୁ ଫେରାଇ ଆଣି ତାଙ୍କ ସ୍ଥାନରେ ନବୀନ ଦିଲ୍ଲୀପଙ୍କୁ ପଠାଇ ପାରନ୍ତି । ରାଜ୍ୟସଭା ଫେରନ୍ତା ତାଲିକାରେ ଏବେ ପ୍ରଥମେ ସାଂସଦ ପ୍ରତାପ ଦେବଙ୍କ ନାଁ ଥିବାବେଳେ ଏବେ ସେଥିରେ ପ୍ରଶାନ୍ତ ନନ୍ଦଙ୍କ ନା ଯୋଡିହୋଇ ଯାଇଛି । ଦୁଇଜଣ ଯାକ ଦଳର ମୁଖପାତ୍ର ଥିବାବେଳେ ସେମାନଙ୍କୁ ବିଜେଡି ବିଧାନସଭା ନିର୍ବାଚନ ଲଢାଇବା ମୁଡ୍ରେ ଥିବା ସୂଚନା ମିଳୁଛି ।
ତେବେ ବିଜେପି ଛାଡିଲା ବେଳେ ଦିଲ୍ଲୀପ-ବିଜୟଙ୍କୁ ନେଇ ଯେଉଁ ଚର୍ଚ୍ଚା ଥିଲା ସେଥିରେ ଏବେ ଏକ ପ୍ରକାର ଭଟା ପଡିଯାଇଛି । ସୂଚନା ଅନୁଯାୟୀ ଦିଲ୍ଲୀପ ନିର୍ବାଚନ ନଲଢି କୌଣସି ପ୍ରକାରେ ବିଜେଡି ସହାୟତାରେ ରାଜ୍ୟସଭା ଯିବାପାଇଁ ଯୋଗାଡରେ ଥିବାବେଳେ ବିଜୟ କିନ୍ତୁ ଅନିଶ୍ଚିତତା ଭିତରେ ଅଛନ୍ତି । ଯଦି ଦିଲ୍ଲୀପ ବିଜୟଙ୍କ ହାତଛାଡି ଦିଲ୍ଲୀ ପଳାନ୍ତି ତେବେ ବିଜେଡି ଏତେ ସହଜରେ ବିଜୟଙ୍କୁ ଗ୍ରହଣ କରିନପାରେ । ତେବେ ଖୁବ୍ଶୀଘ୍ର ଏହି ଦୁଇ ନେତାଙ୍କ ଭବିଷ୍ୟତ ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ସେମାନଙ୍କ ନିକଟତମ ଲୋକେ କହୁଛନ୍ତି ।