Odia News Portal

ଶୀର୍ଷ ତିନିରେ ଚେତେଶ୍ଵର ପୂଜାରା, ପନ୍ତ କଲେ ରେକର୍ଡର ବରାବର

ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିଥିବା ଚେତେଶ୍ଵର ପୂଜାରା ଓ ଋଷଭ ପନ୍ତ ସଦ୍ୟତମ ଆଇସିସି ମାନ୍ୟତାରେ ଲମ୍ବା ଲମ୍ଫ ପ୍ରଦାନ କରିଛନ୍ତି। ରନ ମେସିନ ଚେତେଶ୍ଵର ପୂଜାରା ଅଷ୍ଟ୍ରେଲିଆ ବିପକ୍ଷରେ ଚତ୍ମକାର ପ୍ରଦର୍ଶନ ଦମରେ ବିଶ୍ଵ ମାନ୍ୟତାର ଶୀର୍ଷ ତିନି ଜଣ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଅନ୍ୟ ପଟେ ସିଡନୀ ଟେଷ୍ଟରେ ଦମଦାର ଶତକ  ଲଗାଇଥିବା ପନ୍ତ ୨୧ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ମାନ୍ୟତାରେ  ଭାରତୀୟ ଓ୍ଵିକେଟ୍ କିପରଙ୍କ ପଛ ରେକର୍ଡର ସମକକ୍ଷ ହୋଇଛନ୍ତି।

କୋହଲି ଓ ଓ୍ଵିଲିୟମସନଙ୍କ ପଛରେ ପୂଜାରା

ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୫୨୧ ରନ  କରି ଭାରତର ୨-୧ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ। ସେ ସିଡନୀରେ ଶେଷ ମ୍ୟାଚରେ ୧୯୩ ରନ କରି ବ୍ୟାଟିଂ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟରେ ପୂଜାରାଙ୍କ ବର୍ତ୍ତମାନ ୮୮୧ ରେଟିଂ ପଏଣ୍ଟ ରହିଛି।  ଭାରତୀୟ ଅଧିନାୟକ ବିରାଟ କୋହଲି ୯୨୨ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଛନ୍ତି ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ।

ଏହି ପରି ସିଡନୀରେ ୧୫୯ ରନର ପାଳି ଖେଳିଥିବା ୨୧ ବର୍ଷୀୟ ପନ୍ତ ବ୍ୟାଟିଂ ମାନ୍ୟତାରେ ୧୭ମ ସ୍ଥାନରେ ପହଞ୍ଚିଛନ୍ତି।  ଏହି ପରି ସେ ଭାରତୀୟ ଓ୍ଵିକେଟ୍ କିପରଙ୍କ ସର୍ବଶ୍ରେଷ୍ଠ ମାନ୍ୟତା ଥିବା ଫାରୁକ ଇଞ୍ଜିନିୟରଙ୍କ ପଛ ରେକର୍ଡର ସମକକ୍ଷ ହୋଇଛନ୍ତି। ଇଞ୍ଜିନିୟର ୧୯୭୩ରେ ୧୭ମ ସ୍ଥାନରେ ଥିଲେ। ପନ୍ତଙ୍କ ପାଖରେ ଏବେ ୬୭୩ ରେଟିଂ ପଏଣ୍ଟ ରହିଛି। ଯାହାକି କୌଣସି ଭାରତୀୟ ଓ୍ଵିକେଟ୍ କିପରଙ୍କ ଦ୍ଵାରା ସର୍ବାଧିକ ଅଙ୍କ। ରେଟିଂ ଅଙ୍କ ମୁତାବକ ପନ୍ତଙ୍କ ପରେ ମହେନ୍ଦ୍ର ସିଂହ ଧୋନୀ(୬୭୩) ନମ୍ବର ଆସିଥାଏ। ମାତ୍ର ଧୋନୀଙ୍କ ସର୍ବଶ୍ରେଷ୍ଠ ମାନ୍ୟତା ହେଉଛି ୧୯।

କୁଲଦୀପଙ୍କ ଫାଇଦା ତଳକୁ ଖସିଲେ ଅଶ୍ଵିନ

ବୋଲିଂରେ କୁଲଦୀପ ଯାଦବ ସାତୋଟି ସ୍ଥାନ ଉପରକୁ ଉଠି ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୪୫ମ ସ୍ଥାନରେ ପହଞ୍ଚିଛନ୍ତି। ସେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୯୯ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ। ଯଶପ୍ରୀତ ବୁମରା ୧୬ମ ସ୍ଥାନରେ ଥିବା ବେଳେ ମହମ୍ମଦ ସାମି ଗୋଟିଏ ସ୍ଥାନ ଉପରକୁ ଉଠି ୨୨ମ ସ୍ଥାନରେ ପହଞ୍ଚିଛନ୍ତି। ମାତ୍ର ଆଘାତ କାରଣରୁ ଦଳରୁ ବାଦ୍ ପଡିଥିବା ଅଶ୍ଵିନ ନବମ ସ୍ଥାନକୁ ଖସିଛନ୍ତି।