Odia News Portal

ବିଜୁ ଜନତା ଦଳରେ ସାମିଲ ହେଲେ ଗୋପାଳପୁରର ବହୁ ବିଜେପି କର୍ମୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନାଭିମୁଖୀ ଯୋଜନା ତଥା ତୃଣମୂଳସ୍ତରରେ ରାଜ୍ୟବାସୀଙ୍କ ପ୍ରତି ତାଙ୍କ ସମ୍ବେଦନଶୀଳ ଶାସନ ଓ ପ୍ରଶାସନରେ ଆକୃଷ୍ଟ ହୋଇ ଶାସକ ଦଳରେ ମିଶିବାକୁ ଆଗ୍ରହ ପ୍ରକାଶ କରିବାରେ ଲାଗିଛନ୍ତି। ଏଥିସହ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଧିରେ ଧିରେ ବିଜେଡିର ସାଙ୍ଗଠନିକ ବିସ୍ତାର ସାଙ୍ଗକୁ ଦଳୀୟ ନେତୃବୃନ୍ଦଙ୍କ ସାଧାରଣ ଜନତା ପ୍ରତି ଜନସେବା ଆଭିମୁଖ୍ୟ ହେତୁ ଅନ୍ୟ ପାର୍ଟିର କର୍ମୀ ଶାସକ ଦଳ ପ୍ରତି ଆକର୍ଷିତ ହେଉଛନ୍ତି।

ଗୋପାଳପୁର ନିର୍ବାଚନମଣ୍ଡଳୀ ବକ୍ସିପଲ୍ଲୀ ପଞ୍ଚାୟତର ଅନେକ ବିଜେପି କର୍ମୀ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଯାଇ ଦଳରେ ସାମିଲ ହୋଇଛନ୍ତି। ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ବବି ଦାସ, ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶଙ୍କ ଉପସ୍ଥିତିରେ ଶାସକ ଦଳରେ ସେମାନେ ସାମିଲ ହୋଇଛନ୍ତି। ଡ. ଦାଶଙ୍କ ନେତୃତ୍ବରେ ଏମାନେ ଭୁବନେଶ୍ଵର ଯାଇ ବିଧିବଦ୍ଧ ଭାବେ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ। ଏହି ସମୟରେ ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ୱରୀ, ବ୍ଲକ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ ଓ ବହୁ ନେତା ତଥା ନିର୍ବାଚିତ ଜନପ୍ରତିନିଧି ଉପସ୍ଥିତ ଥିଲେ। ପଞ୍ଚାୟତ ଓ ପୌର ନିର୍ବାଚନ ବେଳେ ତୃଣମୂଳସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ଅନେକ ଶୀର୍ଷସ୍ତରୀୟ ନେତା ବିଜେଡିରେ ସାମିଲ ହୋଇଥିଲେ। ପୁଣି ଆଗାମୀ ଦିନରେ ମଧ୍ୟ ଗୋପାଳପୁର ନିର୍ବାଚନମଣ୍ଡଳୀର ଅନେକ ରାଜନୈତିକ କର୍ମୀ ବିଜେଡିରେ ଯୋଗଦେବା ଜାରି ରହିବ ବୋଲି ବରିଷ୍ଠ ବିଜେଡି ନେତାଗଣ ପ୍ରକାଶ କରିଛନ୍ତି।