ଭୁବନେଶ୍ବର : ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରାର ପ୍ରଭାବ ଆଜି ସାରା ରାଜ୍ୟରେ ପଡ଼ିଛି। ଦିନତମାମ ଠପ୍ ହୋଇଯାଇଥିଲା। ବସ୍, ଅଟୋ ବନ୍ଦ ହେବା ସହ ଗମନାଗମନ ବ୍ୟବସ୍ଥା ଭୀଷଣ ପ୍ରଭାବିତ େହାଇଥିଲା। ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଦୋକାନବଜାର ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାରୁ ମୁଖ୍ୟ ରାସ୍ତାଗୁଡ଼ିକରେ ଗାଡ଼ିମୋଟର ଚଳାଚଳ କରି ପାରି ନ ଥିଲା। ତେବେ କିଛି ସ୍ଥାନରେ ଗଣ୍ଡଗୋଳ ହୋଇଥିଲେ ବି ବଡ଼ ଧରଣର ହିଂସାକାଣ୍ଡ ଦେଖିବାକୁ ମିଳି ନ ଥିଲା। ଆସନ୍ତାକାଲି ମଧ୍ୟ ହରତାଳ ଜାରି ରହିବ। ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟକୁ ବିଜେପି ବାଦ୍ ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସମର୍ଥନ କରିଛନ୍ତି।
ଯଦିଓ ସେମାନେ ସିଧାସଳଖ ରାସ୍ତାକୁ ଓହ୍ଲାଇ ନାହାନ୍ତି, ତେବେ ସେମାନଙ୍କର ସମର୍ଥନରୁ ଧର୍ମଘଟର ଜବରଦସ୍ତ ପ୍ରଭାବ ପଡ଼ିବା ନେଇ ଅନୁମାନ କରାଯାଉଥିଲା। ଆଜି ମଧ୍ୟ ତାହା ଦେଖିବାକୁ ମିଳିଥିଲା। ଧର୍ମଘଟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଥିବାରୁ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ। ଯେହେତୁ ଆସନ୍ତାକାଲି ମଧ୍ୟ ଧର୍ମଘଟ ଜାରି ରହିବ, ତେଣୁ ଆଜି ସନ୍ଧ୍ୟାରେ ବି ବହୁ ସ୍ଥାନରେ ଜନଜୀବନ ସ୍ବାଭାବିକ ହୋଇ ନ ଥିଲା। ବିଭିନ୍ନ ଶ୍ରମିକ ସଂଗଠନର ରାଜ୍ୟସ୍ତରୀୟ ନେତୃବୃନ୍ଦ ରାଜଧାନୀରେ ସକାଳୁ ସକାଳୁ ପିକେଟିଂ କରିଥିଲେ। ସହରର ପ୍ରମୁଖ ସ୍ଥାନରେ ଶୋଭାଯାତ୍ରା ବାହାରିଥିଲା। ଭୁବନେଶ୍ବର ଷ୍ଟେସନ୍ରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରେଳ ଅଟକାଇଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯେହେତୁ ଦୋକାନବଜାର ସ୍ବତଃପ୍ରବୃତ୍ତ ବନ୍ଦ ହୋଇଯାଇଥିଲା, ତେଣୁ ରାସ୍ତାଘାଟ ଶୂନ୍ଶାନ୍ ଥିଲା। ଚାରି ଚକିଆ ଯାନ କାଁ ଭାଁ ଦେଖିବାକୁ ମିଳୁଥିଲା। ବନ୍ଦ ପାଳନକାରୀମାନେ ମଧ୍ୟ ସେମାନଙ୍କୁ ଅଟକାଇ ଫେରାଇ ଦେଉଥିଲେ। ତେବେ ଦୁଇ ଚକିଆ ଯାନ ଚଳାଚଳ ସ୍ବାଭାବିକ ଥିଲା।
