Odia News Portal

ଆଇଏମଡିର ଆକଳନ : ଏବର୍ଷ ସ୍ୱାଭାବିକ ବର୍ଷା

ଚାଷୀକୂଳକୁ ସୁହାଇବ ଚଳିତ ବର୍ଷର ବର୍ଷା

ନୂଆଦିଲ୍ଲୀ : ପୂର୍ବରୁ ସ୍କାଏମେଟ୍ ଦେଇଥିବା ପୂର୍ବାନୁମାନ ଚାଷୀଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ ଆଜି ଭାରତୀୟ ପାଣିପାଗ ବିଭାଗ ଏହି ଖୁସିକୁ ଦୁଇଗୁଣିତ କରିଛି । କାରଣ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ । ଠିକ୍ ସମୟରେ ଅ ।ସିବ ମୌସୁମୀ । ଏନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳ ଛୁଇଁଥାଏ । ଏହାପରେ ଦେଶର ଅନ୍ୟ ପ୍ରାନ୍ତକୁ ଗତି କରିଥାଏ । ଫଳରେ ଦେଶରେ ୭୫ ପ୍ରତିଶତ ବର୍ଷା ହୋଇଥାଏ । ଯାହା ଚଳିତ ବର୍ଷ ସ୍ୱାଭାବିକ ରହିବ । ଚଳିତ ବର୍ଷ ମୌସୁମୀ ମାସ ବେଳେ ବୃଷ୍ଟିପାତ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ।

ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଯାହା ୯୮ ପ୍ରତିଶତ ରହିବ । ଏହାକୁ ସ୍ୱାଭାବିକ ଶ୍ରେଣୀର ବର୍ଷା କୁହାଯାଇ ପାରିବ । ତେବେ ବୃଷ୍ଟିପାତ ସ୍ୱାଭାବିକ ହେବା ନେଇ ୪୦ ପ୍ରତିଶତ ସମ୍ଭାବନା ଥିବା ବେଳେ ସ୍ୱାଭାବିକ ଠାରୁ ଅଧିକ ହେବା ନେଇ ୨୧ ପ୍ରତିଶତ ସମ୍ଭାବନା ରହିଛି । ଯାହା ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । କୃଷି ଉତ୍ପାଦନରେ ସହାୟକ ହେବ । ଫଳରେ ଅର୍ଥବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଆକଳନ କରିଥିଲା ଯେ, ଜୁନ-ସେପ୍ଟେମ୍ବରରେ ସାଧାରଣ ଓ ସୁସ୍ଥ ମୌସୁମୀ ଅନୁଭୂତ ହୋଇପାରେ। ତେବେ ପୂର୍ବାନୁମାନରେ ଉତ୍ତର ଭାରତ ସମତଳ ସମେତ ଉତ୍ତରାଞ୍ଚଳର କେତେକ ସ୍ଥାନ ବର୍ଷାଭାବର ସମ୍ମୁଖୀନ ହେବା ନେଇ ଆଶଙ୍କା କରିଛନ୍ତି।  ଏ ନେଇ ସ୍କାଏମେଟ୍‌ ନିଜ ୱେବ୍‌ ସାଇଟ୍‌ରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଜୁନ-ସେପ୍ଟେମ୍ବର ୪ମାସର ଦୀର୍ଘାବଧି ହାରାହାରି (ଏଲପିଏ)ରେ ୧୦୩ ପ୍ରତିଶତ ବର୍ଷାନୁମାନ କରିଛି ।