Odia News Portal

ବଜାରକୁ ଆସିଲା ଜିଓ ମାର୍ଟ

ନୂଆଦିଲ୍ଲୀ() ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ଆରମ୍ଭ କରିଛି ଜିଓମାର୍ଟ। ଆରଆଇଏଲର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ସୋମବାରଠୁ ନିଜର ଜିଓ ଟେଲିକମ ଗ୍ରାହକଙ୍କୁ ବିକିବା ଆରମ୍ଭ କରିଛି। ଏଥିପାଇଁ ଜିଓମାର୍ଟ ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡ଼ିବ। ଏହାପରେ ଅର୍ଡର ମୁତାବିକ ଜିନିଷ ଅନଲାଇନରେ କିଣିହେବ।ଚଳିତବର୍ଷ ଅଗଷ୍ଟ ୧୨ରେ ରିଲାଏନ୍ସ ଏଜିଏମ୍ ବୈଠକରେ ଜିଓମାର୍ଟର ଶୁଭାରମ୍ଭ ବାବଦରେ ମୁକେଶ ଘୋଷଣା କରିଥିଲେ।

ରିଲାଏନ୍ସ ରିଟେଲର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଏବେ ଜିଓ ମାର୍ଟ ଅଳ୍ପ ସ୍ଥାନରେ ଆରମ୍ଭ ହୋଇଛି। ଜିଓ ଗ୍ରାହକଙ୍କୁ ଜିଓମାର୍ଟରେ ପଞ୍ଜିକରଣ କରିବା ପାଇଁ ଆରମ୍ଭ କରି ଦେଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଅଫର ମଧ୍ୟ ଦିଆଯାଉଛି। କିନ୍ତୁ ଏହି ସେବା ଏବେ ମୁମ୍ୱାଇର ତିନୋଟି ସ୍ଥାନରେ ଉପଲବ୍ଧ ରହିଛି। ଆଗକୁ ଜିଓମାର୍ଟର ଆପ୍ସ ଉପଲବ୍ଧ ହେବ। ଏହାପରେ ସାରା ଦେଶରେ ଏହି ସେବାକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।

ଜିଓ ମାର୍ଟ ନିଜର ବ୍ୟବସାୟ ବାବଦରେ ଗୁପ୍ତ ରଖିଛି। ହେଲେ ମିଳିଥିବା ସୂଚନା ଅନୁଯାୟୀ ଜିଓମାର୍ଟରେ ୫୦ ହଜାରରୁ ଅଧିକ ଗ୍ରୋସରୀ ଉତ୍ପାଦ, ମାଗଣା ହୋମ୍ ଡେଲିଭରୀ ଓ ଏକ୍ସପ୍ରେସ ଡେଲିଭରୀ ଭଳି ସୁବିଧା ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି।