Odia News Portal

ଗୋଟିଏ ଦିନରେ ୧୦୦୦ ମେଟ୍ରିକ୍‍ ଟନରୁ ଅଧିକ ଅକ୍ସିଜେନ୍‍ ରିଲିଫ୍‍ ଯୋଗାଣ

•୧୩ଟି ରାଜ୍ୟକୁ ଏବେସୁଦ୍ଧା ୧୧,୦୩୦ ମେଟ୍ରିକ୍‍ ଟନ୍‍ ତରଳ ଅକ୍ସିଜେନ୍‍ ରିଲିଫ୍‍

ନୂଆଦିଲ୍ଲୀ: ସକଳ ପ୍ରକାର ବାଧାବିଘ୍ନକୁ ଅତିକ୍ରମ କରି ଏବଂ ନୂତନ ସମାଧାନ ସୂତ୍ର ବାହାର କରି ଭାରତୀୟ ରେଳବାଇ ଦେଶର ବିଭିନ୍ନ ରାଜ୍ୟକୁ ତା’ର ତରଳ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଣ ଅବ୍ୟାହତ ରଖିଛି । କରୋନା ମହାମାରୀ ସମୟରେ ଗୁରୁତର ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଏହା ରାଜ୍ୟଗୁଡ଼ିକର ମେଡ଼ିକାଲମାନଙ୍କୁ ଆଶ୍ୱସ୍ତ କରିଛି । ଏପର୍ଯ୍ୟନ୍ତ ରେଳବାଇ ଅକ୍ସିଜେନ୍‍ ଏକ୍ସପ୍ରେସ ଭଳି ସ୍ୱତନ୍ତ୍ର ଟ୍ରେନ୍‍ ଜରିଆରେ ୬୭୫ଟି ଟ୍ୟାଙ୍କର ଯୋଗେ ଦେଶର ବିଭିନ୍ନ ରାଜ୍ୟରେ ୧୧,୦୩୦ ମେଟ୍ରିକ୍‍ ଟନ୍‍ ତରଳ ମେଡ଼ିକାଲ ଅକ୍ସିଜେନ୍‍ ପହଞ୍ଚାଇଛି ।

ଅକ୍ସିଜେନ୍‍ ଏକ୍ସପ୍ରେସ ଟ୍ରେନଗୁଡ଼ିକ ପ୍ରତି ଗତ କିଛିଦିନ ଧରି ପ୍ରତି ଦିନ ୮୦୦ ମେଟ୍ରିକ୍‍ ଟନରୁ ଅଧିକ ତରଳ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଇ ଆସୁଛି ।

ସୂଚନାଯୋଗ୍ୟ ଯେ ଅକ୍ସିଜେନ୍‍ ଏକ୍ସପ୍ରେସ୍‍ ଟ୍ରେନ ଆଜକୁ ୨୩ ଦିନ ତଳେ ଅର୍ଥାତ୍‍ ଏପ୍ରିଲ୍‍ ୨୪ ତାରିଖ ଦିନ ମହାରାଷ୍ଟ୍ରରୁ ୧୨୬ ମେଟ୍ରିକ୍‍ ଟନ୍‍ ତରଳ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଣ ଆରମ୍ଭ କରିଥିଲା । ଗତ ୨୪ ଦିନ ମଧ୍ୟରେ ରେଳବାଇ ଏହି ଅତ୍ୟାବଶ୍ୟକ ମେଡ଼ିକାଲ ସାମଗ୍ରୀ ଯୋଗାଣରେ ଉଲ୍ଲେଖନୀୟ ସାଫଲ୍ୟ ହାସଲ କରିଛି ଏବଂ ଅକ୍ସିଜେନ୍‍ ଏକ୍ସପ୍ରେସ୍‍ ଭାବେ ଏହି ସ୍ୱତନ୍ତ୍ର ରେଳଗାଡ଼ିକୁ ନାମିତ କରାଯାଇ ଏବେସୁଦ୍ଧା ଦେଶର ୧୩ଟି ରାଜ୍ୟକୁ ମୋଟ ୧୧,୦୩୦ ମେଟ୍ରିକ୍‍ ଟନ୍‍ ତରଳ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଇ ଦିଆଯାଇସାରିଲାଣି।

ଦେଶର ବିଭିନ୍ନ ଭାଗରେ ଥିବା ଭାରତୀୟ ରେଳବାଇ ଏହିସବୁ ଅକ୍ସିଜେନ୍‍ ସଂଗ୍ରହ କରୁଛି । ସେଥି ମଧ୍ୟରେ ଦେଶର ପଶ୍ଚିମାଞ୍ଚଳରେ ଥିବା ହାପା ଓ ମୁନ୍ଦ୍ରା, ଏବଂ ପୂର୍ବାଞ୍ଚଳରେ ଅବସ୍ଥିତ ରାଉରକେଲା, ଦୁର୍ଗାପୁର, ଟାଟାନଗର, ଅନୁଗୁଳ ଆଦି ସ୍ଥାନରୁ ସେହିସବୁ ତରଳ ମେଡ଼ିକାଲ ଅକ୍ସିଜେନ୍‍ ସଂଗ୍ରହ କରାଯାଉଛି । ସେହିସବୁ ଅକ୍ସିଜେନକୁ ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତାମିଲ ନାଡ଼ୁ, ହରିଆନା, ତେଲଙ୍ଗାନା, ପଞ୍ଜାବ, କେରଳ, ଦିଲ୍ଲୀ ଓ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଯାଉଛି । ଏଥିପାଇଁ ରେଳବାଇକୁ ଜଟିଳ ମାର୍ଗ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିଛି ।

ଏହି ତରଳ ମେଡ଼ିକାଲ ଅକ୍ସିଜେନ ଯେଭଳି ଯଥାଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚେ, ସେଥିପାଇଁ ରେଳବାଇ ଏକ ନୂତନ ଷ୍ଟାଣ୍ଡାର୍ଡ଼ ସୃଷ୍ଟି କରିଛି ଏବଂ ଏହିସବୁ ଟ୍ରେନକୁ ଅକ୍ସିଜେନ୍‍ ଏକ୍ସପ୍ରେସ୍‍ ଭାବେ ନାମିତ କରି ସେସବୁକୁ ଅପ୍ରତିହତ ଭାବେ ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି । ଫଳରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସାଫଲ୍ୟ ହାସଲ କରିଛି । ସେହିସବୁ ମାଲବାହୀ ଅକ୍ସିଜେନ୍‍ ଏକ୍ସପ୍ରେସର ହାରାହାରି ବେଗ ଅଧିକାଂଶ ଦୀର୍ଘ ଯାତ୍ରା କ୍ଷେତ୍ରରେ ଘଣ୍ଟାକୁ ୫୫ କିଲୋମିଟରରୁ ଯଥେଷ୍ଟ ଅଧିକ ରଖାଯାଇଛି । ହାଇ ପ୍ରାୟରିଟି ଗ୍ରୀନ୍‍ କରିଡ଼ୋରରେ ଯାତ୍ରା କରି ଏହି ସାମଗ୍ରୀ ପହଞ୍ଚାଯିବା ଉପରେ ସର୍ବାଧିକ ମାନ୍ୟତା ପ୍ରଦାନ କରାଯାଇଛି । ଏଥିପାଇଁ ରେଳବାଇର ବିଭିନ୍ନ ଜୋନର ଅପରେସନାଲ ଟିମ୍‍ମାନ ଅହୋରାତ୍ର କର୍ମତତ୍ପର ରହିଛନ୍ତି ଏବଂ ସେମାନେ ଅତି ଜଟିଳ ପରିସ୍ଥିତିରେ ସୁଦ୍ଧା ଯଥାଶୀଘ୍ର ଲକ୍ଷ୍ୟ ସ୍ଥଳରେ ଅକ୍ସିଜେନ୍‍ ପହଞ୍ଚାଯିବାକୁ ସୁନିଶ୍ଚିତ କରିଛନ୍ତି । ଏଥିପାଇଁ ଟ୍ରେନଗୁଡ଼ିକର ଟେକ୍ନିକାଲ ଷ୍ଟପେଜ୍‍ର ଅବଧିକୁ ଏକ ମିନିଟକୁ ହ୍ରାସ କରାଯାଇଛି ଯେଉଁ ସମୟରେ କି ବିଭିନ୍ନ ଷ୍ଟେସନରେ କର୍ମଚାରୀ ପରିବର୍ତ୍ତନ କରାଯାଉଛନ୍ତି ।

ଅକ୍ସିଜେନ୍‍ ଏକ୍ସପ୍ରେସ୍‍ ଟ୍ରେନର ଯାତ୍ରା ଲାଗି ଟ୍ରାକ୍‍କୁ ସଦାବେଳେ ମୁକ୍ତ ତଥା ଅତି ମାତ୍ରାରେ ସତର୍କତା ନଜରରେ ରଖାଯାଉଛି । ଏହା ଦ୍ୱାରା ଅକ୍ସିଜେନ୍‍ ଏକ୍ସପ୍ରେସ ଯେଭଳି ଅବାଧରେ ତା’ର ବେଗ ସହିତ ଯାତ୍ରା କରିପାରିବ ତାହା ସୁନିଶ୍ଚିତ କରାଯାଇଛି । ଏହିସବୁ କାର୍ଯ୍ୟ ଏଭଳି ସୁସଂଗତ ଭାବେ ସଂପାଦନ କରାଯାଉଛି ଯଦ୍ୱାରା ଅନ୍ୟ ମାଲବାହୀ ଟ୍ରେନଗୁଡ଼ିକର ବେଗ ଓ ଯାତ୍ରା ମଧ୍ୟ ବ୍ୟହତ ହେଉନାହିଁ ।

ସୂଚନାଯୋଗ୍ୟଯେ ଏବେସୁଦ୍ଧା ୧୭୫ଟି ଅକ୍ସିଜେନ୍‍ ଏକ୍ସପ୍ରେସ ଏବେସୁଦ୍ଧା ଦେଶର ବିଭିନ୍ନ ଭାଗକୁ ଏହାର ଯାତ୍ରା ସଂପାଦନ କରି ତରଳ ମେଡ଼ିକାଲ ଅକ୍ସିଜେନ୍‍ ପରିବହନ କରିଛି ଏବଂ ସେଥିରେ ଦେଶର ବିଭିନ୍ନ କ୍ଷେତ୍ରରେ ଥିବା ରାଜ୍ୟ ସାମିଲ । ଯେଉଁସବୁ ରାଜ୍ୟ ରେଳବାଇକୁ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଣ ନିମନ୍ତେ ଅନୁରୋଧ କରିଛନ୍ତି ସେମାନଙ୍କ ନିକଟରେ ଏହି ଜୀବନ ରକ୍ଷାକାରୀ ମେଡ଼ିକାଲ ସାମଗ୍ରୀ ସର୍ବନିମ୍ନ ସମୟରେ ପହଞ୍ଚାଇବାକୁ ଭାରତୀୟ ରେଳବାଇ କୌଣସି ସୁଯୋଗକୁ ହାତଛଡ଼ା କରିନାହିଁ ।

ଏପର୍ଯ୍ୟନ୍ତ, ମହାରାଷ୍ଟ୍ରକୁ ୫୨୧ ମେଟ୍ରିକ୍‍ ଟନ୍‍ ଅକ୍ସିଜେନ୍‍ ଯୋଗା ଯାଇଥିବାବେଳେ, ଉତ୍ତର ପ୍ରଦେଶକୁ ପ୍ରାୟ ୨୮୫୮ ମେଟ୍ରିକ୍‍ ଟନ୍‍, ମଧ୍ୟ ପ୍ରଦେଶକୁ ୪୭୬ ମେଟ୍ରିକ୍‍ ଟନ୍‍, ହରିଆଣାକୁ ୧୪୨୭ ମେଟ୍ରିକ୍‍ ଟନ୍‍, ତେଲଙ୍ଗାନାକୁ ୫୬୫ ମେଟ୍ରିକ ଟନ୍‍, ରାଜସ୍ଥାନକୁ ୪୦ ମେଟ୍ରିକ୍‍ ଟନ୍‍, କର୍ଣ୍ଣାଟକକୁ ୪୮୦ ମେଟ୍ରିକ୍‍ ଟନ୍‍, ଉତ୍ତରାଖଣ୍ଡକୁ ୨୦୦ ମେଟ୍ରିକ୍‍ ଟନ୍‍, ତାମିଲ ନାଡ଼ୁକୁ ୩୫୦ ମେଟ୍ରିକ୍‍ ଟନ୍‍, ପଞ୍ଜାବକୁ ୮୧ ମେଟ୍ରିକ୍‍ ଟନ୍‍, କେରଳକୁ ୧୧୮ ମେଟ୍ରିକ୍‍ ଟନ୍‍ ଏବଂ ଦିଲ୍ଲୀକୁ ଏବେସୁଦ୍ଧା ୩୭୯୪ ମେଟ୍ରିକ୍‍ ଟନ୍‍ ତରଳ ମେଡ଼ିକାଲ୍‍ ଅକ୍ସିଜେନ୍‍ ପହଞ୍ଚା ଯାଇସାରିଛି ।

ତରଳ ତଥା ନୂତନ ଅକ୍ସିଜେନ ପରିବହନ ଏକ ଅତି ଜଟିଳ କାର୍ଯ୍ୟ, ତଥାପି ଭାରତୀୟ ରେଳବାଇର ଏହି ପରିବହନ ପରିସଂଖ୍ୟାନ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଆଜି ରାତିରେ ଅଧିକ ସଂଖ୍ୟକ ମାଲବୋଝେଇ ଅକ୍ସିଜେନ୍‍ ଏକ୍ସପ୍ରେସ ସେମାନଙ୍କର ଯାତ୍ରା ଆରମ୍ଭ କରିବାର ସମ୍ଭାବନା ରହିଛି ।

ରେଳବାଇ ଏହି ତରଳ ଅକ୍ସିଜେନ୍‍ ପରିବହନ ସକାଶେ ବିଭିନ୍ନ ମାର୍ଗର ଏକ ନକ୍ସା ପ୍ରସ୍ତୁତ କରିଛି ଏବଂ ଆବଶ୍ୟକ କରୁଥିବା ରାଜ୍ୟରେ ଯଥାଶୀଘ୍ର ସେହି ମାର୍ଗ ଦେଇ ସର୍ବନିମ୍ନ ସମୟରେ ଲକ୍ଷ୍ୟ ସ୍ଥଳରେ ତରଳ ଅକ୍ସିଜେନ୍‍ ପହଞ୍ଚାଇବା ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ରହିଛି । ତରଳ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଣ ନିମନ୍ତେ ଭାରତୀୟ ରେଳବାଇକୁ ରାଜ୍ୟମାନେ ଟ୍ୟାଙ୍କର ଯୋଗାଇ ଦେଇଥାନ୍ତି ।