Odia News Portal

ମା’ ହେଲେ ଏହି ଅଭିନେତ୍ରୀ, ଦେଲେ କନ୍ୟା ସନ୍ତାନକୁ ଜନ୍ମ

ବଲିଉଡ୍‌ ଅଭିନେତ୍ରୀ କଳ୍‌କୀ କୋଚ୍‌ଲିନ୍‌ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ଦମ୍‌ଦାର ଅଭିନୟ ଯୋଗୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଳ୍‌କୀ ୨୦୧୯ ଶେଷ ଆଡ଼କୁ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ସେ ନିଜ ଦୀର୍ଘଦିନର ବୟଫ୍ରେଣ୍ଡ୍‌ ଗାୟ ହର୍ଶବର୍ଗଙ୍କ ଛୁଆର ମା’ ହୋଇଛନ୍ତି। ଉଭୟେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି।

କଳ୍‌କୀ ମା’ ହେବା ଖବର ବିରଳ ଭବାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ କଳ୍‌କୀ ପୂର୍ବରୁ ନିଜ ଗର୍ଭାବସ୍ଥା ବେଳର ଫଟୋ ମଧ୍ୟ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେୟାର କରୁଥିଲେ। ତେବେ ବିବାହ ବିନା ବୟଫ୍ରେଣ୍ଡର ଛୁଆର ମା’ ହେବାକୁ ନେଇ କଳ୍‌କୀଙ୍କ ଉପରକୁ ବାରମ୍ବାର ପ୍ରଶ୍ନ ବି ଉଠିଛି।

ତେବେ ନିକଟରେ କରୀନାଙ୍କ ଶୋ’ରେ ମଧ୍ୟ ବିବାହ ପୂର୍ବରୁ ମା’ ହେବାକୁ ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତରରେ କଳ୍‌କୀ କହିଥିଲେ ମୋ ପାଖରେ ଏକ ସୁପର ପାଓ୍ଵାର ଅଛି ଯେ ମୁଁ ମୋ ଫୋନ୍‌ ଅଫ୍‌ କରିଦିଏ, ବହୁ ସମୟ ପର୍ଯ୍ୟନ୍ତ ସୋସିଆଲ ମିଡିଆଠାରୁ ଦୂରରେ ରହେ ଓ ପୋଷ୍ଟର କମେଣ୍ଟ ପଢ଼େ ନାହିଁ।

ସେ କହିଥିଲେ ଯେଉଁମାନେ ମୋ ସହ ସକାରାତ୍ମକ ଆଲୋଚନା କରୁଛନ୍ତି ମୁଁ ତାଙ୍କ ସହ କଥା ହେବାକୁ ପସନ୍ଦ କରିବି। ମୁଁ ମୋ ପରିବାର ସହ କଥା ହେଉଛି ଓ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରୁଛି। ସେମାନେ ମତେ କହିଛନ୍ତି ଏହି ଛୁଆର ଭଲ ଭବିଷ୍ୟତ ପାଇଁ ଆମେ ବିବାହ କରିନେବା ଉଚିତ। ଆମେ ଏନେଇ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି। ଛୁଆ କଥା ଶୁଣି ତାଙ୍କ ବୟଫ୍ରେଣ୍ଡ ସବୁଠାରୁ ଅଧିକ ଖୁସି ଅଛନ୍ତି ବୋଲି ସେ କହିଛନ୍ତି।