Odia News Portal

ଅଭିନେତା ରିଷି କପୁର ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ରିଷି କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗତକାଲି ରାତିରେ ତାଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଏଚ୍ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରିଷି କପୁରଙ୍କୁ କର୍କଟ ସମ୍ବନ୍ଧୀୟ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ରିଷି କପୁରଙ୍କ ଅବସ୍ଥା ଗୁରୁତର କିନ୍ତୁ ସ୍ଥିର ରହିଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେତୁ ରିଷି କପୁର ପ୍ରାୟ ୧ସପ୍ତାହ ହସ୍ପିଟାଲରେ ଅଛନ୍ତି। ଏହାପୂର୍ବରୁ ଫେବୃଆରୀରେ ରିଷି କପୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରିଷି କପୁରଙ୍କ ଭାଇ ରଣଧୀର କପୁର ଇଣ୍ଡିଆନ ଏକ୍ସପ୍ରେସ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ, ରିଷି କପୁରଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପାଖରେ ତାଙ୍କ ପତ୍ନୀ ନୀତୁ କପୁର ମଧ୍ୟ ଅଛନ୍ତି।

୨୦୧୮ ମସିହାରେ ରିଷି କପୁରଙ୍କୁ କର୍କଟ ରୋଗ ହୋଇଛି ବୋଳି ସ୍ପଷ୍ଟ ହୋଇଥିଲା। ଯାହା ପରେ ତାଙ୍କୁ ନ୍ୟୁୟର୍କରେ ପ୍ରାୟ ୮ମାସ ଚିକିତ୍ସା କରାଯାଇଥିଲା। ପୂର୍ବରୁ ରିଷି କପୁର କିମ୍ବା ତାଙ୍କ ପରିବାର ଏହି ରୋଗ ବିଷୟରେ ପ୍ରକାଶ କରିନଥିଲେ, କିନ୍ତୁ ପରେ ରିଷି କପୁର ନିଜେ ଲୋକଙ୍କୁ ଜଣାଇଥିଲେ ଯେ ତାଙ୍କର କର୍କଟ ରୋଗ ହୋଇଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଛି। ୨୦୧୯ରେ ଚିକିତ୍ସା ପରେ ସେ କର୍କଟ ରୋଗରେ ପୀଡିତ ଅଛନ୍ତି ବୋଲି ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ରିଷି କପୁର ସୁସ୍ଥ ହେବା ପରେ ନୀତୁ କପୁର ଏକ ସାକ୍ଷାତକାରରେ ସ୍ବାମୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖୁଲାସା କରିଥିଲେ।