Odia News Portal

ହିମେଶ ରେଶମିୟାଙ୍କୁ ଏପରି ଧନ୍ୟବାଦ ଜ୍ଞାପନ କଲେ ବିଜେପି ନେତା

କୋଲକାତା : ବଲିଉଡ୍ ଅଳିନ୍ଦରୁ ବାହାରି ପ୍ଲାଟଫର୍ମ ଗାୟିକା ରାନୁମଣ୍ଡଲଙ୍କ କଣ୍ଠର ଯାଦୁ ଏବେ ରାଜନୀତିରେ ବି ଚାଲିଲାଣି। ବିଜେପିର ଜଣାଶୁଣା ନେତା କୈଳାଶ ବିଜୟବର୍ଗୀୟ ରାନୁଙ୍କ ଭିଡିଓ ତାଙ୍କ ସୋସାଲ ସାଇଟ୍ ରେ ସେୟାର କରିଛନ୍ତି। ପ୍ରଖ୍ୟାତ ବଲିଉଡ ଗାୟକ ହିମେଶ ରେଶମିୟଙ୍କ ସହ ରାନୁ ଗୀତଗାଉଥିବା ଭିଡିଓଟିକୁ ସେ ସେୟାର କରିବା ସହ ଦେଶର ଜଣାଶୁଣା ଗାୟିକା ଲତା ମଙ୍ଗେସ୍କର ଓ ଶଙ୍କର ମହଦେବନଙ୍କୁ ଟ୍ୟାଗ୍ କରିଛନ୍ତି।

ଟ୍ୱିଟ୍ ରେ ବିଜୟବର୍ଗୀୟ ଉଲ୍ଲେଖ କରିଛନ୍ତି ଯେ ‘ବଙ୍ଗଳାରେ ପ୍ରତିଭାମାନଙ୍କର ଅଭାବ ନାହିଁ ! କଲିକତା ରେଳ ଷ୍ଟେସନରେ ଗୀତ ଗାଇ ନିଜର ଜିବିକା ଅର୍ଜନ କରୁଥିବା ରାନୁ ମଣ୍ଡଲଜୀଙ୍କ ପ୍ରତିଭାକୁ ଏକ ପାରଖୀ ନଜର ଖୋଜିଛି, ଏବେ ତାଙ୍କ ଲୋକପ୍ରୀୟତା ଖୁବ୍ ବଢିବାରେ ଲାଗିଛି ’। ସେହିପରି ତାଙ୍କୁ ବଲିଉଡରେ ସୁଯୋଗ ଦେଇଥିବାରୁ ହିମେଶଙ୍କୁ  ବିଜୟ ବର୍ଗୀୟ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏବେ ବିଜୟ ବର୍ଗୀୟ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ଅଛନ୍ତି। ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କ ନେତୃତ୍ୱରେ ମମତା ବାନାର୍ଜୀଙ୍କ ସଫଳ ମୁକାବିଲା କରିଥିଲା।

ଏଥିରେ ରାନୁଙ୍କୁ ନେଇ ତାଙ୍କର ଟ୍ୱିଟ୍ କୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏଥିରୁ ରାଜ୍ୟଉପରେ ଏବେବି ବିଜେପିର ନଜର ଥିବା ତାଙ୍କର ଏହି ଟ୍ୱିଟ୍ ରୁ ସ୍ପଷ୍ଟ ହୋଇଥିବା ବେଳେ ରାଜ୍ୟରେ ପ୍ରତିଦିନ ହେଉଥିବା ଛୋଟମୋଟ ପରିବର୍ତ୍ତନ ଉପରେ ବି ଦଳ ନଜର ରଖିଥିବା ବିଜୟବର୍ଗୀୟ ସୂଚିତ କରିଦେଇଛନ୍ତି। ଏଥିରେ ଶଙ୍କର ମହାଦେବନ କରିଥିବା ଟ୍ୱିଟ୍ ର ବି ବିଜୟବର୍ଗୀୟ ରିଟ୍ୱିଟ୍ କରିଥିବା ଦେଖାଯାଇଛି। ତେବେ ଯାହା ବି ହେଉ ନା କାହିଁକି ରାନୁ ଏବେ ବଡ ଉଡାଣ କରିବାକୁ ଯାଉଥିବା ଏବେଠୁ ଜଣାପଡିଗଲାଣି। ଏବେ ସେ ମୁମ୍ବାଇରେ ଅବସ୍ଥାନ କରୁଥିବା ବେଳେ ତାଙ୍କର କାମ ଦେଖାଶୁଣା କରିବା ଲାଗି ତାଙ୍କ ସହ ୨ ଜଣ ମଧ୍ୟ ସେଠାରେ ଅବସ୍ଥାନ କରୁଛନ୍ତି।