Odia News Portal

ଯାତ୍ରା ଜଗତକୁ ଡବଲ ଝଟକା

ଭୁବନେଶ୍ବର: ଯାତ୍ରା ଜଗତକୁ ଡବଲ ଝଟକା । ଗୋଟିଏ ଦିନରେ ଚାଲିଗଲା ଦୁଇ ବରିଷ୍ଠ କଳାକାରଙ୍କ ଜୀବନ । ମଙ୍ଗଳବାର ସକାଳେ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ(ଜଗା)ଙ୍କ ମୃତ୍ୟୁ ଘଟିଥିବା ବେଳେ ରାତିରେ ଅଭିନେତା ତୃପ୍ତି ପଣ୍ଡା ଆରପାରିକୁ ଚାଲିଯାଇଛନ୍ତି।

ମଞ୍ଚରେ ହସାଇ ହସାଇ ବେଦମ କରୁଥିବା ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ(ଜଗା)ଙ୍କ ଅଭିନୟ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ମହାମାରୀ କୋଭିଡ୍‌ର ମାୟା ଜାଲରେ ଛନ୍ଦି ହୋଇ ସବୁଦିନ ପାଇଁ ସେ ଚାଲିଯାଇଛନ୍ତି ଅଫେରା ରାସ୍ତାରେ। ଆଜି ସକାଳେ ତାଙ୍କର ଭୁବନେଶ୍ୱରରେ ଏକ କୋଭିଡ୍‌ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକ ଛାୟା ଖେଳି ଯାଇଛି।

ସାତଶଙ୍ଖ ଗଣନାଟ୍ୟର ରଙ୍ଗୀନ ରଙ୍ଗ ମଞ୍ଚରେ ହସ ବାଣ୍ଟୁଥିବା ବେଳେ ହଠାତ୍‌ ହୃଦରୋଗରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଯାତ୍ରାଠାରୁ ଦୂରେଇ ଯାଇଥିଲେ। ହେଲେ ବେଶୀ ଦିନ ମଞ୍ଚଠାରୁ ଦୂରେଇ ରହିପାରିଲେ ନାହିଁ। ପରେ ପୁଣି ଥରେ ଯାତ୍ରାକୁ ଫେରିଥିଲେ। ଅନ୍ଧଦେଶେ ଗଲି ଦର୍ପଣ ବିକି, ଶିବାଜୀ, ପୃଥ୍ୱୀରାଜ ପରି ଐତିହାସିକ ନାଟକ ତାଙ୍କୁ ଲୋକଲୋଚନକୁ ଆଣିଥିଲା।

୨୦୦୨ ମସିହାରେ ଜଗା ଭାଇ ସାତଶଙ୍ଖ ଛାଡ଼ି ଛାଡ଼ି କୋଣାର୍କ ଗଣନାଟ୍ୟରେ ଆସିଲେ। କଉଡି ଖେଳ, ନକହିଲେ କୁଳ ଭାସି ଯାଉଛି, କହଲ ବଉଳ କିଏ ତୋ ବର ପରି ନାଟକରେ ଅଭିନୟ କରିଥିଲେ। ୨୦୦୮ ମସିହାଠାରୁ ସେ କଳିଙ୍ଗ ଗଣନାଟ୍ୟରେ ଯୋଗଦେଇଥିଲେ। ଷ୍ଟେସନ୍‌କୁଲି, ଠିକଣା ହଜିଛି ଜଗା ଭାଇର, ଫଗୁଣ ମାସର ଶେଷ ରାତି ପରି ନାଟକରେ ଅଭିନୟ କରିଛନ୍ତି। ୬୬ ବର୍ଷର ଯାତ୍ରା କ୍ୟାରିୟର୍‌ରେ ସେ ୫୦୦ରୁ ଅଧିକ ନାଟକରେ ଅଭିନୟ କରିଛନ୍ତି।

ତୃପ୍ତି ଓ ତାଙ୍କ ସ୍ୱାମୀ ବାବୁଲି ପଣ୍ଡା ଚଳିତବର୍ଷ ଯାତ୍ରା ମଞ୍ଜରୀରେ ଅଭିନୟ କରୁଥିଲେ। ବାଲେଶ୍ୱର ଜିଲ୍ଲା ଲଙ୍ଗଳେଶ୍ୱରରେ ଯାତ୍ରା କରିବାକୁ ଅନୁମତି ନମିଳିବାରୁ ସବୁ କଳାକାର ଘରକୁ ଫେରିଆସିଥିଲେ। ତୃପ୍ତି ଓ ବାବୁଲି ମଧ୍ୟ ଘରକୁ ଫେରି ଆସି ହୋମ୍‌ ଆଇସୋଲେସନ୍‌ରେ ଥିଲେ। ତିନି ଦିନ ତଳେ ହଠାତ୍‌ ତୃପ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ଯଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। ତୃପ୍ତିଙ୍କ ପରିବାରରେ ଅନେକ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେସନ୍‌ ଓ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି।