Odia News Portal

ଉଦିତ ନାରାୟଣଙ୍କୁ ହତ୍ୟା ଧମକ

ଗାୟକ ଉଦିତ ନାରାୟଣଙ୍କୁ ହତ୍ୟା ଧମକ । ଦାଦାବଟି ଦାବୀ କରି ତାଙ୍କୁ ଏହି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଧମକ ବ୍ୟତୀତ ଉଦିତ ନାରାୟଣଙ୍କୁ ଅଜଣା ବ୍ୟକ୍ତି ଫୋନରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଅଶ୍ଲିଳ ଶବ୍ଦ ମଧ୍ୟ କହିଛି । ଉଦିତ ନାରାୟଣ ଘଟଣାକୁ ନେଇ ଅମ୍ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଉଦତଙ୍କ କହିବା ଅନୁସାରେ ଅଜଣା ବ୍ୟକ୍ତି ଏଯାଏଁ ୩ ଥର ଫୋନ କରି ଧମକ ଦେଇ ସାରିଛି । ସେ ଯେତେବେଳେ ସୁଟିଂରେ ବ୍ୟସ୍ତ ରହୁଛନ୍ତି, ସେହି ସମୟରେ ଫୋନରେ ଧମକ ଆସୁଛି । ଫୋନ କରୁଥିବା ବ୍ୟକ୍ତି ନିଜକୁ ରବି ପୂଜାରୀ ବୋଲି ପରିଚୟ ଦେଉଛି ଏବଂ ସେ ମୋଟା ଅଙ୍କର ଟଙ୍କା ଦାବୀ କରୁଛି ବୋଲି ଉଦିତ ନାରାୟଣ କହିଛନ୍ତି ।

ପୋଲିସ ସୂଚନା ଅନୁସାରେ ଯେଉଁ ବ୍ୟକ୍ତି ଧମକ ଦେଉଛି, ସେ ବିହାର ଅଂଚଳରୁ କଲ କରୁଛି । ତଦନ୍ତରୁ ଜଣାପଡ଼ିଛି ଯେଉଁ ଫୋନରୁ କଲ ଆସୁଛି, ତାହା ଉଦିତ ନାରାୟଣଙ୍କ ୱାଚମ୍ୟାନଙ୍କ ନାମରେ ଅଛି । ପୋଲସର ପଚରାଉଚରା ବେଳେ ୱାଚମ୍ୟାନ କହିଛି, ତାଙ୍କର ଫୋନ ୩ ମାସ ପୂର୍ବରୁ ଚୋରୀ ହୋଇଯାଇଛି । ସେହି ସମୟରେ ୱାଚମ୍ୟାନ ବିହାରରେ ଥିଲା ।