ଭାରତ ସମେତ ପୂରା ବିଶ୍ୱ ପ୍ରତି ବର୍ଷ ଏପ୍ରିଲ ମାସ ୧ ତାରିଖକୁ ‘ଏପ୍ରିଲ ଫୁଲ ଡ଼େ’ ଭାବେ ପାଳନ କରିଥାଏ । କେତେକ ଦେଶରେ ତ ଏହି ଦିନ ଛୁଟି ଘୋଷଣା କରାଯାଏ । ବର୍ଷ ଯାକରେ ଏହି ଗୋଟିଏ ଦିନରେ ହିଁ ଲୋକେ ପରସ୍ପର ସହ ଥଟା ହୋଇଥାନ୍ତି । ମଜା ମଜାରେ ଅନ୍ୟକୁ ଉଲ୍ଲୂ ବନାଇଥାନ୍ତି । ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଏହି ଦିନ ଟିକୁ ଭିନ୍ନ ଭିନ୍ନ ଶୈଳୀରେ ପାଳନ କରାଯାଇଥାଏ । ଅବଶ୍ୟ ଏବର୍ଷର ମାରାତ୍ମକ କରୋନା ଭାଇରସ ଏହି ମଜାକୁ ଫିକା କରିଦେଇଛି । ବିଭିନ୍ନ ୟୁରୋପୀୟ ଦେଶ ଯେମିତି ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଆଦି ଦେଶ ଗୁଡିକରେ ଲୋକେ ନିଜ ନିଜ ପିଠିରେ ମାଛର ଷ୍ଟିକର ଲଗେଇ ବୁଲିବାର ଏକ ପରମ୍ପରା ରହିଛି । ଯାହାକୁ ‘ଏପ୍ରିଲ ଫିସ’ ବୋଲି କୁହାଯାଏ ।
ଆଜିକା ସମୟରେ ଲୋକେ ବିଭିନ୍ନ ସୋସିଆଲ ମିଡ଼ିଆ ଜରିଆରେ ବିଭିନ୍ନ ଜୋକ, ଫଟୋ ଆଦି ପଠାଇ ଅନ୍ୟକୁ ମଜା ମଜାରେ ଥଟା କରୁଛନ୍ତି । କିନ୍ତୁ ଆପଣ କଣ କେବେ ଭାବିଛନ୍ତି କାହିଁକି ଏହି ଦିନ ଟିକୁ ଏପରି ଭାବେ ପାଳନ କରାଯାଏ ? କାହିଁକି ପ୍ରତିବର୍ଷ ପୂରା ବିଶ୍ୱ ଏହି ଦିନ ଟିକୁ ଏପ୍ରିଲ ଫୁଲ ରୂପରେ ପାଳନ କରିଥାଏ ? କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହା ପଚାର ପ୍ରକୃତ ଇତିହାସ କଣ? ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା । ପ୍ରକୃତରେ ଏପ୍ରିଲ ୧ ତାରିଖକୁ ଏପ୍ରିଲ ଫୁଲ ଡ଼େ ଭାବେ ପାଳନ କରିବାର ସେପରି କୌଣସି ନିର୍ଦ୍ଦିଷ୍ଟ ଇତିହାସ ନାହିଁ । ଏହା ଏବେବି ଏକ ରହସ୍ୟ ଘେରରେ ରହିଛି । କିନ୍ତୁ ବିଶ୍ୱବାସୀ ଏହାକୁ ନେଇ ଭିନ୍ନ ଭିନ୍ନ କାହାଣୀ ଓ କାରଣ ଭାବେ ବିଶ୍ୱାସ କରି ଆସୁଛନ୍ତି ।
କିଛି ଐତିହାସିକଙ୍କ ଅନୁଯାୟୀ, ଏହାର ଇତିହାସ ୪୩୮ ବର୍ଷ ପୁରୁଣା । ୧୫୮୨ ମସିହାରେ ଫ୍ରାନ୍ସ ଜୁନିୟର କ୍ୟାଲେଣ୍ଡର ଛାଡ଼ି ଗ୍ରେଗେରିଆନ କ୍ୟାଲେଣ୍ଡର ଗ୍ରହଣ କରିଥିଲା । ଜୁଲିଆନ କ୍ୟାଲେଣ୍ଡରରେ ନୂଆ ବର୍ଷ ଏପ୍ରିଲ ମାସ ୧ ତାରିଖରେ ହିଁ ଆରମ୍ଭ ହୋଇଥାଏ । ଯେବେକି ଗ୍ରେଗେରିଆନ କ୍ୟାଲେଣ୍ଡର ଅନୁଯାୟୀ ଜାନୁଆରୀ ୧ ତାରିଖ କୁ ହିଁ ନୂଆ ବର୍ଷ ଭାବେ ପାଳନ କରାଯାଏ ।
କିନ୍ତୁ କିଛି ଲୋକ ଏହାକୁ ନ ବୁଝି ଏପ୍ରିଲ ୧ ତାରିଖକୁ ହିଁ ନୂଆ ବର୍ଷ ଭାବେ ପାଳନ କରି ଆସୁଛନ୍ତି ।