Odia News Portal

ଜିତେନ୍ଦ୍ରଙ୍କ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳନ : ଆସନ୍ତୁ ଜାଣିବା

ଭୁବନେଶ୍ବର : ଭାରତ ମାତା କି ଜୟ । ଏହି ସ୍ଲୋଗାନ ଏବେ ସାରା ଦେଶରେ ହେଉଛି ଗୁଞ୍ଜରିତ । ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ବିଜୟ ଉତ୍ସବ ପାଳନ କରୁଛି । ଭାରତୀୟ ସେନା ସାହସିକତାର ଜୟଗାନ ବି କରୁଛନ୍ତି । ଏପରି ସମୟରେ ରାଜଧାନୀ ଭୁବନେଶ୍ବରେ ଜଣେ ଅଟୋ ଚାଳକ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳନ କରୁଛନ୍ତି। ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିନକ ପାଇଁ ରାଜଧାନୀରେ ଯାତ୍ରୀଙ୍କୁ ମାଗଣାରେ ଅଟୋ ସେବା ଯୋଗାଇ ଦେଇଛନ୍ତି । ସେ ଆଉ କେହି ନୁହନ୍ତି । ତାଙ୍କ ନାଁ ହେଉଛି ଜିତେନ୍ଦ୍ର ମାଝୀ । ଘର ଅନୁଗୁଳ ଜିଲାରେ । ପେଟପାଟଣା ପାଇଁ ରାଜଧାନୀରେ ଅଟୋ ଚଳାଉଛନ୍ତି ।

ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଅଟୋ​‌ରେ ଲଗାଇଛନ୍ତି । ଆଉ ରାଜଧାନୀରେ ବୁଲି ବୁଲି ଲୋକଙ୍କୁ ଦିନକୁ ପାଇଁ ମାଗଣା ଅଟୋ ସେବା ଯୋଗାଇ ଦେଇଛନ୍ତି । ଖାଲି ତ୍ରିରଙ୍ଗା ପତାକା ନୁହେଁ । ଗାଡି ଆଗ ଏବଂ ପଛରେ ଶହୀଦ ଶ୍ରଦ୍ଧାଞ୍ଜଳି ଜଣାଇ ବାର୍ତା ମଧ୍ୟ ଦେଇଛନ୍ତି । ପଚାରିଲେ ପୁଣି କହନ୍ତି । ସେ ଜଣେ ଅଟୋ ଚାଳକ । ମାଗଣାରେ ଲୋକଙ୍କୁ ଅଟୋ ସେବା ଯୋଗାଇ ସେ ବିଜୟ ଉତ୍ସବ ପାଳନ କରୁଛନ୍ତି । ବରମୁଣ୍ଡାରୁ ମାଷ୍ଟର କ୍ୟାଣ୍ଟିନ । କଳ୍ପନାରୁ ବାଣୀବିହାର । ଦିନକ ପାଇଁ ଜିତେନ୍ଦ୍ର ରାଜଧାନୀରେ ବୁଲି ମାଗଣାରେ ଲୋକ ଅଟୋ ସେବା ଯୋଗାଇ ଦେଇଛନ୍ତି । ଏଭଳି ନିଆରା ପଦକ୍ଷେପ ନେଇ ଦେଶମାତୃକା ପ୍ରତି ଥିବା ତାଙ୍କର ଭକ୍ତି ଦେଖାଇଛନ୍ତି । ଆଉ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ତାଙ୍କ ଅଟୋରେ ବସିଥିବା ଯାତ୍ରୀମାନେ ବି ଭୁରି ଭୁରି ପ୍ରଶଂସା କରିଛନ୍ତି । ସାରା ଦେଶ ଏବେ ପାଳୁଛି ବିଜୟ ଉତ୍ସବ । ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମସ୍ତେ କିଛି ନା କିଛି କାର୍ଯ୍ୟକ୍ରମ କରୁଛନ୍ତି । ଏପରି ସମୟରେ ଜିତେନ୍ଦ୍ର ଦିନକ ପାଇଁ ରାଜଧାନୀରେ ଯାତ୍ରୀଙ୍କୁ ମାଗଣାରେ ଅଟୋ ସେବା ଯୋଗାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ।