Odia News Portal

ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ

ଶ୍ରଦ୍ଧାଞ୍ଜଳୀଙ୍କୁ ଜେରା ପରେ ବହୁ ବିସ୍ଫୋରକ ତଥ୍ୟ ପାଇଛି ଇଡି । ଏନେଇ ଦିଲ୍ଲୀ ଇଡି ମୁଖ୍ୟାଳୟ ସହ ସମ୍ପର୍କରେ ଅଛନ୍ତି ଭୁବନେଶ୍ବରରେ ଇଡି ଅଧିକାରୀ । ଦିଲ୍ଲୀ ଇଡି ମୁଖ୍ୟାଳୟରୁ ତଦନ୍ତକାରୀ ଟିମ୍ କୁ ଆସିଛି ଡକରା । ଦିଲ୍ଲୀ ଇଡି ମୁଖ୍ୟାଳୟରେ ବଡବଡିଆଙ୍କ ସମ୍ପର୍କରେ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ । ମୁଖ୍ୟାଳୟରୁ ନିର୍ଦ୍ଦେଶ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ଇଡି ଅଧିକାରୀ । ଅର୍ଚ୍ଚନା ଲିଙ୍କ୍ ରେ ଥିବା ଜଣେ ପରେ ଜଣେ ବଡପଣ୍ଡା ଇଡି କାର୍ଯ୍ୟାଳୟକୁ ଆସିବେ ।

ସେପଟେ ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା ଜାରି ରହିଛି । ଗତକାଲି ଦିନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ଶ୍ରଦ୍ଧାଞ୍ଜଳୀଙ୍କୁ ଜେରା କରାଯାଇଥିଲା । ଜେରା ସମୟରେ ଅର୍ଚ୍ଚନାଙ୍କ ସମ୍ପର୍କରେ ଅନେକ ତଥ୍ୟ ଇଡିକୁ ଦେଇଥିବା ସୂଚନା ମିଳିଛି । ସେହିଭଳି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ମଧ୍ୟ ୬ ଘଣ୍ଟା ଧରି ଜେରା କରାଯାଇଥିଲା । ଏପରିକି ଶ୍ରଦ୍ଧାଞ୍ଜଳୀ ଓ ଚନ୍ଦନଙ୍କୁ ମୁହାଁ ମୁହିଁ ଜେରା କରିଥିଲା ଇଡି । ଅର୍ଚ୍ଚନା କାହା ପାଖକୁ ଯାଉଥିଲେ ଓ କାହା କାହାକୁ ଦେଖା କରୁଥିଲେ ସେ ନେଇ ଅନେକ ତଥ୍ୟ ହାସଲ କରିଛି ଇଡି । ତେବେ ଆଜି ଇଡିରେ କାହାର ପାଳି ତା ଉପରେ ରହିବ ନଜର ।