Odia News Portal

ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା

.ବାତ୍ୟା ୟାସ୍‌ ପାଇଁ ମୋଟ୍‌ ହଜାରେ କୋଟି ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
.ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା
. ମୁଖ୍ୟମନ୍ତ୍ରୀ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡିଶା ଗସ୍ତ କରି ବାତ୍ୟା ୟାସ୍‌ରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତ୍ୟା ସହାୟତା ଘୋଷଣା କରାଯାଇଛି। ଓଡିଶାକୁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ବାତ୍ୟା ପାଇଁ ମୋଟ୍ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ବାକି ୫୦୦ କୋଟି ଟଙ୍କା ମଧ୍ୟରୁ ପଶ୍ଚିମବଙ୍ଗକୁ ୨୫୦ ଏବଂ ଝାଡଖଣ୍ଡକୁ ୨୫୦ କୋଟି ଟଙ୍କା ମିଳିବ।

ଏଥି ସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ସେହିଭଳି ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା କେନ୍ଦ୍ର ପକ୍ଷରୁ ଘୋଷଣା ହୋଇଛି। କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍। ଓଡିଶା ସମେତ ପ୍ରଭାବିତ ରାଜ୍ୟକୁ ଆନ୍ତଃମନ୍ତ୍ରଣାଳୟ ଟିମ୍ ଗସ୍ତ କରିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଥିଲେ। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରିଥିଲେ। ଏଥିପାଇଁ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଆବଶ୍ୟକ। ସେହିପରି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାର ତାର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ବୋଲି ଏସ୍‌ଆର୍‌ସି କହିଥିଲେ।

ପିଏମଓ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଗଠନ କରିବେ, ଯିଏ ପ୍ରଭାବିତ ରାଜ୍ୟ ଯାଇ କ୍ଷୟକ୍ଷତିର ଆକଳନ କରିବେ ଏବଂ ଏହାରି ଆଧାରରେ ସହାୟତା ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ଭରସା ଦେଇଛନ୍ତି ଯେ, ଏହି ସଙ୍କଟ ସମୟରେ କେନ୍ଦ୍ର ସରକାର ଏକାଠି ମିଶି କାମ କରିବ।

ଏହା ପୂର୍ବରୁ ଆଜି ଓଡିଶାରେ ବାତ୍ୟା ‘ୟାସ୍’ କରିଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଏକ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ କ୍ଷୟକ୍ଷତି ସମୀକ୍ଷା କରିଥିଲେ ।  ବୈଠକ ପରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ।