Odia News Portal

କାନାଡ଼ାରେ ଭଙ୍ଗାଗଲା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ବିଦେଶରେ ଜାତୀୟ ପିତାଙ୍କୁ ଅସମ୍ମାନ। କାନାଡ଼ାର ରାଜଧାନୀ ଟରଣ୍ଟୋରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଥିବା ଖବର ସାମ୍ନାକୁ ଆସିଛି। ଟରଣ୍ଟୋର ରୀଚମଣ୍ଡ ହିଲ୍‌ ସ୍ଥିତ ଏକ ମନ୍ଦିରରେ ଏଭଳି କାଣ୍ଡ ଘଟିଛି। ଏଠାରେ ଗାନ୍ଧିଜୀଙ୍କର ଏକ ବଡ଼ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। ଏହି ପ୍ରତିମାକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛି। ଏହି କାରନାମାର ସୂଚନା ପୋଲିସକୁ ଦିଆଯିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ କାଲି ଦ୍ୱିପ୍ରହର ପ୍ରାୟ ସାଢ଼େ ୧୨ଟାରେ ଏହି ଘଟଣା ଘଟିଛି।

ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଥିବା ନେଇ ଟରଣ୍ଟୋ ସ୍ଥିତ ଭାରତର ମହାବାଣିଜ୍ୟିକ ଦୂତାବାସ ଟ୍ଵିଟ୍‌ କରି ସୂଚନା ଦେଇଛି। ଦୂତାବାସ ପକ୍ଷରୁ ଟ୍ଵିଟ୍‌ କରାଯାଇ କୁହାଯାଇଛି- ରିଚ୍‌ମଣ୍ଡ ହିଲ ସ୍ଥିତ ବିଷ୍ଣୁ ମନ୍ଦିରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଘଟଣା ଆମକୁ ଖୁବ୍‌ ବ୍ୟଥିତ କରିଛି। ବର୍ବରତାର ଏହି ଅପରାଧିକ, ଘୃଣିତ କାର୍ଯ୍ୟ କାନାଡ଼ାର ଭାରତୀୟ ସମୁଦାୟଙ୍କ ଭାବନାକୁ ଆଘାତ କରିଛି।

ରିପୋର୍ଟ ମୁତାବକ, ୟାର୍କ କ୍ଷେତ୍ରୀୟ ପୋଲିସ ପକ୍ଷରୁ କୁହାଯାଇଛି ଯେ ୟୋଙ୍ଗ୍‌ ଷ୍ଟ୍ରିଟ୍‌ ଓ ଗାର୍ଡେନ ଏଭନ୍ୟୁ ଅଞ୍ଚଳରେ ବିଷ୍ଣୁ ମନ୍ଦିରରେ ସ୍ଥାପିତ ମହାତ୍ମାଗାନ୍ଧୀଙ୍କ ୫ ମିଟର ଉଚ୍ଚ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଆସି ଭାଙ୍ଗି ଦେଇଛି। ସୂଚନାନୁସାରେ, ପ୍ରତିମୂର୍ତ୍ତିକୁ ଭାଙ୍ଗିବା ପରେ ତା’ ଉପରେ ଆପତ୍ତିଜନକ ଶବ୍ଦ ମଧ୍ୟ ଲେଖାଯାଇଛି। ପୋଲିସ ଏହାକୁ ଘୃଣା ଯୋଗୁ ଘଟାଯାଇଥିବା କାଣ୍ଡ ବୋଲି କହିଛି। ପୋଲିସ କହିଛି ଯେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ ଓ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।