ଆଜି ଠାରୁ ବାବା କେଦାରନାଥ ଧାମରେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ହୋଇଯାଇଛି। ଆଜି ସକାଳ ଆଠଟାରୁ ମନ୍ଦିର କବାଟ ବନ୍ଦ ହୋଇଥିବା ସୂଚନା ମିଳିଛି। ଏହାପରେ ପ୍ରଭୁଙ୍କୁ ପଞ୍ଚମୁଖୀ ଦୋଳିକୁ ଅଣାଯାଇଛି । ଏହା ପୂର୍ବରୁ ଗତକାଲି ରୀତିନୀତି ଅନୁସାରେ ପୂଜାଅର୍ଚ୍ଚନା ସରିଛି । ଅନ୍ୟପଟେ ଗତକାଲି ଶେଷ ହୋଇଛି ମନ୍ଦିରର ଗର୍ଭଗୃହ ସୁନା ଛାଉଣୀ କାର୍ଯ୍ୟ ।ଆଇଆଇଟି ରାଉରକେଲା , ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ରୁରକୀ ଏବଂ ଏସଆଇର 6 ଜଣିଆ ଟିମ ମନ୍ଦିର ଯାଞ୍ଚ କରିବା ପରେ ଗର୍ଭଗୃହର କାନ୍ଥ ଏବଂ ଛାତରେ 550ଟି ସୁନା ପରତରେ ସଜାଯାଇଥିଲା । ଏହି କାମ ଆରମ୍ଭରୁ 3 ଦିନ ପୂର୍ବରୁ ଏହି ସୁନା ପରତକୁ 18ଟି ଖଚର ପିଠିରେ ଲଦି ମନ୍ଦିରକୁ ଅଣାଯାଇଥିଲା । ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ 19 ଜଣ କାରିଗର । ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତିଙ୍କ କହିବା ଅନୁସାରେ,କିଛି ଦିନ ହେବ ସ୍ବର୍ଣ୍ଣ ସାଜସଜା କାର୍ଯ୍ୟ ଚାଲିଥିଲା । ଗତକାଲି ଏହା ଶେଷ ହୋଇଛି।ମୁମ୍ବାଇର ବ୍ୟବସାୟୀ ତଥା ଲାଖି ପରିବାର ପକ୍ଷରୁ ଏହି ସୁନା ଛାଉଣୀ କରାଯାଇଛି। ଏହି ପରିବାର ହିଁ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି । 230 କିଲୋଗ୍ରାମରେ ସୁନାରେ ସଜେଇ ହୋଇଛି ଗର୍ଭଗୃହ। ଏହା ପୂର୍ବରୁ 2017ରେ ଗର୍ଭଗୃହରେ ରୂପାଛାଉଣୀ କରାଯାଇଥିଲା ।