Odia News Portal

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଗଣଶିକ୍ଷା ବିଭାଗ ତତ୍ପର

କରୋନା ଲାଗି ୨ବର୍ଷ ରାଜ୍ୟରେ ସ୍କୁଲ ପାଠପଢ଼ା ବନ୍ଦ ରହିଥିବା ବେଳେ ୨୦୨୨ର ମାର୍ଚ୍ଚରୁ ଶ୍ରେଣୀ ଶିକ୍ଷାଦାନ ସ୍ୱାଭାବିକ ହୋଇଛି । ତେବେ ଗୁଣାତ୍ମକ ଶିକ୍ଷା ଦାନ ବ୍ୟତୀତ ସ୍କୁଲର ଭିତ୍ତିଭୂମିକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ତେବେ ପିଲାଙ୍କ ତଥା ବିଶେଷ କରି ଛାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଅନେକ ସ୍କୁଲରେ ପାଚେରୀ ଭାଙ୍‌ଗିରୁଜ୍ଜି ଯାଇଥିବା ବେଳେ କିଛି ସ୍କୁଲର ପାଚେରୀ ନଥିବା ସଙ୍ଗେ ସମାନ ଥିବାରୁ ଅନେକ ସମୟରେ ବିଭିନ୍ନ ଅଘଟଣ ଘଟୁଥିବା ଅଭିଯୋଗ ହେଉଛି । ତେଣୁ ଏପରି ସମସ୍ୟାର ସମାଧାନ କରିବାକୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଖୁଶୀଘ୍ର ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲର ଭିତ୍ତିଭୁମିକୁ ଯାଞ୍ଚ କରାଯିବ । ପିଲାଙ୍କ ସୁରକ୍ଷା ଅନୁସାରେ ଯଦି କୌଣସି ସ୍କୁଲର ପାଚେରୀ ଭାଙ୍ଗିଥାଏ କିମ୍ବା ବାହାର ଲୋକଙ୍କ ଅବାଧ ପ୍ରବେଶ ହେଉଥିବା ଧରାପଡେ ତେବେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।

ପ୍ରକାଶଥାଉକି, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ସରକାରୀ ଓ ଘରୋଇ ସ୍କୁଲ ସଂଖ୍ୟା ୬୭ହଜାର ୯୬୧ । ଏଥିରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ସଂଖ୍ୟା ୫୪ହଜାର୨୯୮ ରହିଥିବା ବେଳେ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ୧୬୩୦, ଅନୁଦାନପ୍ରାପ୍ତ ଘରୋଇ ସ୍କୁଲ ସଂଖ୍ୟା ୫୨୩୫, ଘରୋଇ ସ୍କୁଲ ସଂଖ୍ୟା ୩୫୯୨, ଅନ୍ୟାନ୍ୟ ସ୍କୁଲ ୨ଟି ଏବଂ ଅଣସ୍ୱୀକୃତିପ୍ରାପ୍ତ ସ୍କୁଲ ସଂଖ୍ୟା ୨୫ଟି ରହିଛି । ତେବେ ଅଭିଯୋଗ ଅନୁସାରେ ପ୍ରାୟ ୧୧ହଜାର ସ୍କୁଲର ଆବଶ୍ୟକ ପାଚେରି ନାହିଁ । ଏଥିରେ ସର୍ବାଧିକ ଘରୋଇ ସ୍କୁଲ ରହିଥିବା ବେଳେ ୧୭ପ୍ରତିଶତ ସରକାରୀ ସ୍କୁଲ ମଧ୍ୟ ରହିଛି । ଅନେକ ସରକାରୀ ସ୍କୁଲରେ ପାଚେରି ଥିଲେ ହେଁ ମରାମତି ତଥା ରକ୍ଷଣାବେକ୍ଷଣ ଅଭାବରୁ କିଛି ଅଂଶ ଭାଙ୍ଗିରୁଜି ଯାଇଛି । ସେସବୁକୁ ତଦାରଖ କରିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସିଓଆର୍ ପ୍ରସଙ୍ଗକୁ ନେଇ ଶିକ୍ଷା ଅଧିକାର ଆଇନର ନିୟମ ମୁତାବକ ଯେଉଁ ସବୁ ସ୍କୁଲର ଭିତ୍ତିଭୂମିରେ ସମସ୍ୟା ରହିଛି ସଂପୃକ୍ତ ସ୍କୁଲର ସ୍ୱୀକୃତି ବାତିଲ ହେଉଥିବା ବେଳେ ଯଦି ସରକାରୀ ସ୍କୁଲର ପାଚେରୀ ସମସ୍ୟା ରହିଛି ଏଥି ଲାଗି ଦାୟୀ କେବଳ ସ୍କୁଲ ପ୍ରଧାନଶିକ୍ଷକଙ୍କୁ କରାଯିବ । ଯଦି ପାଚେରି ସମସ୍ୟା ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷକ ପୂର୍ବରୁ ଅବଗତ କରିଥିବେ ତେବେ ବିଳମ୍ବ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୈଫତ ମଗାଯିବ ବୋଲି ଜଣାପଡିଛି । ଅନେକ ସ୍କୁଲରେ ପାଚେରି ନଥିବାରୁ ପିଲାମାନେ ସୁରକ୍ଷିତ ମଣୁ ନଥିବା ବେଳେ ଛାତ୍ରୀଙ୍କ ଅସୁରକ୍ଷିତ ବଢ଼ିଚାଲିଛି । ଏହାବ୍ୟତୀତ ଅନେକ ସମୟରେ ସ୍କୁଲ ପରିସରରେ ସନ୍ଧ୍ୟାରେ ଅସାମାଜିକଙ୍କ ଆଡ୍ଡା ଜମୁଛି । ସ୍କୁଲ ବାରଣ୍ଡାରେ ମଦବୋତଲ ଠାରୁ ଆରମ୍ଭ କରି ବହୁ ଆପତ୍ତିଜନକ ସାମଗ୍ରୀ ପଡୁଥିବାରୁ ଏହାର ପ୍ରଭାବ ପିଲାଙ୍କ ଉପରେ ପଡୁଛି ।ସେହିପରି ଯେଉଁସବୁ ସ୍କୁଲକୁ ସ୍ମାର୍ଟ ସ୍କୁଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ସମ୍ପୃକ୍ତ ସ୍କୁଲଗୁଡିକରେ ସିସି କ୍ୟାମେରା ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ ହୋଇଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି ।