Odia News Portal

ଜାଣନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ

ରାତି ପାହିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଚଳିତ ମାସ ୧୦ ତାରିଖ ଠାରୁ ଆରମ୍ଭ ହେଉଥିବା ବେଳେ ୧୧ ତାରିଖରେ ଶେଷ ହେବ । ଭାରତର ରାଷ୍ଟ୍ରପତି ଭାବେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

ନଭେମ୍ବର ୧୦ରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହାପରେ ସେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ସେଠାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ନେତୃବର୍ଗଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେହି ସନ୍ଧ୍ୟାରେ, ରାଷ୍ଟ୍ରପତି ଭୁବନେଶ୍ୱର ରାଜଭବନ ପରିସରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ ।

ଗସ୍ତର ଦ୍ୱିତୀୟ ଦିନ ନଭେମ୍ବର ୧୧ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ଠାରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ । ସେହିଦିନ ସେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ।