Odia News Portal

ତୁର୍କୀ ଓ ସିରିଆରେ ଭୂକମ୍ପ: ୨୦୦୦୦ ଛୁଇଁଲା ମୃତ୍ୟୁସଂଖ୍ୟା, ୩ଦିନ ପରେ ବି ଧ୍ୱଂସସ୍ତୁପ ତଳୁ ଖୋଜାଚାଲିଛି ଜୀବନ

୨୦ ହଜାର ଟପିଲା ଭୂକମ୍ପ ମୃତ୍ୟୁ । ଭୂମିକମ୍ପ ବଦଳାଇ ଦେଇଛି ତୁର୍କୀର ଭୌଗୋଳିକ ମାନଚିତ୍ର। ମୃତ୍ୟୁସଂଖ୍ୟା ବଢୁଛି । ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ତୁର୍କୀରେ ମୃତ୍ୟୁସଂଖ୍ୟା ୧୭ହଜାର ୪୦୬କୁ ବୃଦ୍ଧି ପାଇଛି । ସିରିଆରେ ମୃତ୍ୟୁସଂଖ୍ୟା ୩ ହଜାର ୩୧୭ । ଆଗକୁ ଆହୁରି ଅଧିକ ବଢ଼ିବ ମୃତ୍ୟୁସଂଖ୍ୟା । ୩ ଦିନ ପରେ ବି ଧ୍ୱଂସସ୍ତୁପ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍‌ । ଶହ ଶହ ମୃତଦେହ ଉଦ୍ଧାର ହେଉଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଭାବରେ ବି ଉଦ୍ଧାର କରାଯାଉଛି । ପ୍ରବଳ ଥଣ୍ଡା ରେସ୍କ୍ୟୁ ଅପରେସନରେ ବାଧକ ସାଜିଛି ।

ତୁର୍କୀର ବିଭିନ୍ନ ପ୍ରଦେଶରେ ଉଦ୍ଧାର ବେଳର ହୃଦୟ ବିଦାରକ ଦୃଶ୍ୟ ସାରା ବିଶ୍ୱକୁ ଭାବବିହ୍ଵଳ କରୁଛି । ତୁର୍କୀର ୧୦ଟି ପ୍ରଦେଶରେ ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ତାଇପି ଏରଡୋଗାନ୍‌। ଭୂକମ୍ପରୁ ବଞ୍ଚି ଯାଇଥିବା ଲୋକ ଭଙ୍ଗା ଘର ଉପରେ ବସି କାନ୍ଦି କାନ୍ଦି କଂକ୍ରିଟ୍‌ ଅଣ୍ଡାଳୁଛନ୍ତି । ତୁର୍କୀ ଓ ସିରିଆରେ ନିଜ ପ୍ରିୟଜନଙ୍କୁ ଖୋଜୁଥିବାର ଲୋମଟାଙ୍କୁରା ଦୃଶ୍ୟ ସାରା ବିଶ୍ୱ ଆଖିରେ ଲୁହ ଭରିଛି ।

ମୃତ୍ୟୁ ସଂଖ୍ୟା ଏତେ ବଢିଛି ଯେ ହସପିଟାଲ ଗୁଡ଼ିକର ପାର୍କିଂ ସ୍ଥାନଗୁଡ଼ିକରେ ଶବଗୁଡ଼ିକୁ ରଖାଯାଇଛି । ଗୋଟିଏ ଗୋଟିଏ ପରିବାର ସଂସାରରୁ ନିଶ୍ଚିହ୍ନ ହୋଇଯାଇଛି । ତୁର୍କୀ ଓ ସିରିଆରେ ଅନେକ ଶିଶୁ ଅନାଥ ହୋଇଛନ୍ତି । ତୁର୍କୀର ବିଭିନ୍ନ ହସପିଟାଲ ଓ ସ୍କୁଲଗୁଡ଼ିକରେ ଅନେକ ଅଚିହ୍ନା ମୃତଦେହ ପଡ଼ିରହିଛି ।ଭାରତ ସମେତ ୟୁରୋପୀୟ ସଂଘ, ଚୀନ୍‌ ଭଳି ୭୦ରୁ ଅଧିକ ଦେଶ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିଛନ୍ତି ବିଭିନ୍ନ ଦେଶର ଟିମ୍‌ ।