ଏକ ଆଷ୍ଟ୍ରୋଏଡ୍ ପୃଥିବୀର ଖୁବ୍ ନିକଟତର ହେଉଛି। ପୂର୍ବରୁ ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ୍ ଆଡ୍ମିନିଷ୍ଟ୍ରେସନ୍ (NASA) ଆମ ଗ୍ରହ ପୃଥିବୀ ପାଖରେ ଏକ ଛୋଟ ୪୧ ଫୁଟ୍ ଚଉଡ଼ା କ୍ଷୁଦ୍ରଗ୍ରହ ସନ୍ଧାନ କରିଥିଲେ ଓ ଏବେ ବୈଜ୍ଞାନିକମାନେ ଏକ ବିଶାଳ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ଆସିଥିବା ନେଇ ଚେତାବନୀ ଦେଇଛନ୍ତି। ଏହି ଆଷ୍ଟ୍ରୋଏଡ୍ ଜୁଲାଇ ୧୭ ଅର୍ଥାତ୍ ଆଜି ପୃଥିବୀର ନିକଟ ଦେଇ ଗତି କରିବ।
ଏହି କ୍ଷୁଦ୍ର ଗ୍ରହର ନାଁ ୨୦୨୨ କେଓ୍ଵାଇ୪ (2022 KY4) ଦିଆଯାଇଛି। ବୈଜ୍ଞାନିକଙ୍କ କହିବାନୁସାରେ, ଏହା ଏକ ୫୦ ମହଲା ବିଶିଷ୍ଟ ନଭଶ୍ଚୁମ୍ବୀ କୋଠାର ଆକାର ସହ ସମାନ। ଏହା ପାଖାପାଖି ୨୯୦ ଫୁଟ୍ ଚଉଡ଼ା ଓ ପ୍ରାୟ ୧୦୦ ବର୍ଷ ହେଲା ପୃଥିବୀ ଆଡ଼କୁ ଆସୁଛି।
ବୈଜ୍ଞାନିକଙ୍କ କହିବାନୁସାରେ, ଏହି ଅନ୍ତରୀକ୍ଷ ଖଣ୍ଡ ପ୍ରାୟ ୩.୮ ମିଲିୟନ୍ ମିଲ ବା ୬.୧ ମିଲିୟନ୍ କିଲୋମିଟର ଦୂରରୁ ପୃଥିବୀ ପାଖ ଦେଇ ଗତି କରିବ। ନାସା ଅନୁସାରେ, ଏହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଅଳ୍ପ ଦୂରରେ ଗତି କରିବ। ଏଣୁ ଚିନ୍ତାର କୌଣସି ବିଷୟ ନାହିଁ ବୋଲି ବୈଜ୍ଞାନିକ ମାନେ କହିଛନ୍ତି।
ଏହି କ୍ଷୁଦ୍ରଗ୍ରହ ୨୦୨୨ ଏନ୍ଏଫ୍ ଠାରୁ ବହୁତ ଦୂରରେ ଅଛି, ଯାହା ଜୁଲାଇ ୭ରେ ୫୬,୦୦୦ ମିଲ୍ (୯୦,୦୦୦ କିଲୋମିଟର) ପରିଧିରେ ଆସିଥିଲା। ସୂଚନାଯୋଗ୍ୟ ଯେ ପୂର୍ବରୁ ଏମିତି ଏକ ଆଷ୍ଟ୍ରୋଏଡ୍ ୧୯୫୯ ଓ ୧୯୪୮ ମସିହାରେ ପୃଥିବୀର ଖୁବ୍ ନିକଟକୁ ଆସିଥିଲା।
