ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ନକଲି ମେଡିସିନ୍ର ଚେର । ଟ୍ୱିନ୍ ସିଟି କଟକ, ଭୁବନେଶ୍ୱରରେ ଘଣ୍ଟାଚକଟା ପରେ ଅନ୍ୟ କେତେକ ସହରରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚଢଉ କରାଯାଇଛି । ଭୁବନେଶ୍ୱରରେ ଥିବା ନାମୀଦାମୀ ୬୦ରୁ ଊର୍ଦ୍ଧ୍ୱ ମେଡିସିନ୍ ଦୋକାନରେ ଅତର୍କିତ ଚଢଉ କରାଯାଇ ୪୫ ଲକ୍ଷ ଟଙ୍କାର ମେଡିସିନ୍ ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୋକାନରେ ଥିବା ରକ୍ତଚାପ ମଡିସିନ୍ ଯାଞ୍ଚ କରାଯାଇଥିଲା । ଗ୍ଲେନମାର୍କ କମ୍ପାନୀର ବହୁଳ ବ୍ୟବହୃତ ରକ୍ତଚାପ ମେଡିସିନ୍ ‘ଟେଲମା-୪୦’ର ନକଲି ମେଡିସିନ୍ ବଜାରରେ ଛାଇ ଯାଇଥିବା ସାମ୍ନାକୁ ଆସିଛି ।
ତେବେ ଜନସାଧାରଣ ଏହି ନକଲି ମେଡିସିନକୁ କିପରି ଚିହ୍ନିବେ ଓ ଦୂରେଇ ରହିବେ ସେ ସଂପର୍କରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ସୁବୋଧ ନାୟକ କହିଛନ୍ତି ଯେ ଲୋକେ ଏହି ମେଡିସିନ୍ କଣିବା ପୂର୍ବରୁ ବ୍ୟାଚ ନମ୍ବର ଯାଞ୍ଚ କରିବା ଜରୁରୀ । ବିଶେଷ କରି ଗ୍ଲେନମାର୍କ କମ୍ପାନୀର ବ୍ୟାଚ୍ ନମ୍ବର-୧୮୨୧୧୦୫୫ ଥିବା ମେଡିସିନ୍ ନକଲି ବୋଲି ଜଣାପଡ଼ିବା ପରେ ବଜାରରୁ ଏହି ବ୍ୟାଚର ମେଡିସିନ୍ ଫେରାଇ ଆଣିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ଖାଲି ଟେଲମା-୪୦ ନୁହେଁ, ‘ଟେଲମା-ଇଗର’ ନକଲି ମେଡିସିନ୍ ମଧ୍ୟ ବଜାରରେ ବୁଲୁଥିବାରୁ ୧୮୨୨୦୦୮୩ ବ୍ୟାଚ୍ ଥିବା ମେଡିସିନ୍କୁ ମଧ୍ୟ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜନସାଧାରଣ ଏଥିପାଇଁ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।