ନନ୍ଦନକାନନ ପାଇଁ ଆଜି ଖୁସି ଖବର ମିଳିଛି । ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପାଇଁ ଏକ ଆନାକୋଣ୍ଡା ଛୁଆ ଜନ୍ମ ଦେଇଛି । ଏଥିପାଇଁ ବହୁ ଦିନ ଅପେକ୍ଷା କରିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ନନ୍ଦନକାନନ ସରୀସୃପ ଉଦ୍ୟାନ ୪୫ ନମ୍ବର ଖୁଆଡ଼ରେ ରହୁଥିବା ଆନାକୋଣ୍ଡା ଠାରୁ ଛୁଆ ଜନ୍ମ ନେଇଥିବା ଜନ୍ତୁ ରକ୍ଷକ ଦେଖିବାକୁ ପାଇଥିଲେ ।
ପରେ ସେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଖବର କରିଥିଲେ । ତୁରନ୍ତ କର୍ତ୍ତୃପକ୍ଷ ପ୍ରାଣୀ ଚିକିତ୍ସକ ଦଳ ସହ ନବଜାତ ଆନାକୋଣ୍ଡାର ଯତ୍ନ ନେଇଥିଲେ । ଏହି ଆନାକୋଣ୍ଡା ଛୁଆ ଜନ୍ମ ପରେ ଏମାନଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ନବଜାତ ଆନାକୋଣ୍ଡା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନା ଯୋଗ୍ୟ ଯେ ୨୦୧୯ ଅକ୍ଟୋବରରେ ଚେନ୍ନାଇସ୍ଥିତ କ୍ରୋକଡାଇଲ୍ ବ୍ୟାଙ୍କ ଟ୍ରଷ୍ଟରୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା । ମାତ୍ର ଆସିବାର ଦେଢ଼ମାସ ମଧ୍ୟରେ ଦୁଇଟି ଆନାକୋଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ଅନ୍ତଃନଳୀରେ ସଂକ୍ରମଣ ଯୋଗୁଁ ରକ୍ତସ୍ରାବ ହୋଇ ଆନାକୋଣ୍ଡା ଦୁଇଟିର ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଚେନ୍ନାଇରୁ ଆସିଥିବା ଦୁଇଜଣ ବିଶେଷଜ୍ଞ ନନ୍ଦନକାନନ କର୍ମଚାରୀଙ୍କୁ ଆନାକୋଣ୍ଡା ଜୀବନ ଶୈଳୀ, ଚିକିତ୍ସା, ଖାଦ୍ୟପେୟ ସମ୍ପର୍କରେ ବୁଝାଇଥିଲେ ।
ତା’ ପରେ ମଧ୍ୟ ଆଉ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ଏଥିପାଇଁ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆନାକୋଣ୍ଡାର ସୁରକ୍ଷା ନେଇ ନିରାଶା ଭାବ ଦେଖାଦେଇଥିବାବେଳେ ଏହି ନୂଆ ଅତିଥି ନୂଆ ଆଶା ସଞ୍ଚାର କରିଛି । ସାଧାରଣତଃ ଆନାକୋଣ୍ଡା ଦକ୍ଷିଣ ଆମେରିକାସ୍ଥିତ ଆମାଜନ ଜଙ୍ଗଲରେ ଦେଖାଯାଆନ୍ତି । ସନ୍ତସନ୍ତିଆ ଅଞ୍ଚଳ ସେମାନଙ୍କ ବାସସ୍ଥଳୀ । ଶରୀର ଲମ୍ବ ୩ରୁ ସାଢ଼େ ୪ମିଟର ମଧ୍ୟରେ ହୋଇଥିବାବେଳେ ଓଜନ ୩୦କେଜି ମଧ୍ୟରେ ହୋଇଥାଏ ।
