Odia News Portal

ବଦଳିଲେ ପଶ୍ଚିମବଙ୍ଗ ଡିଜିପି

କୋଲକାତା ୦୯।୦୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଆକ୍ସନ ମୋଡକୁ ଆସିଛନ୍ତି। ମଙ୍ଗଳବାର ଆୟୋଗ ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକଙ୍କ ବଦଳି କରିଛନ୍ତି। ଡିଜିପି ବୀରେନ୍ଦ୍ରଙ୍କ ଜାଗାରେ ପି ନିରଜନୟନଙ୍କୁ ଦାୟିତ୍ଵ ଦିଆଯାଇଛି। ନିର୍ବାଚନ  ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ବୀରେନ୍ଦ୍ରଙ୍କୁ ନିର୍ବାଚନୀ ସମ୍ଵନ୍ଧି କୌଣସି କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ।

ନିର୍ବାଚନ ଆୟୋଗ ରାଜ୍ୟ ମୁଖ୍ୟ ସଚିବଙ୍କୁ ପଠାଇଥିବା ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ବୀରେନ୍ଦ୍ରଙ୍କୁ ତତ୍କାଳ ପ୍ରଭାବରୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ହଟାଯାଉ। ବୀରେନ୍ଦ୍ରଙ୍କୁ ନିର୍ବାଚନ ସମ୍ବନ୍ଧିତ କୌଣସି ବି କାର୍ଯ୍ୟର ଦାୟିତ୍ଵ ନଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ପାଇଁ ଖାସ୍ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। କୋଲକାତାରେ ପର୍ଯ୍ୟବେକ୍ଷକ ପହଞ୍ଚିବା ପରେ ଏହି ବଡ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ମାର୍ଚ୍ଚ ୨୭ରୁ ବିଧାନସଭା ନିର୍ବାଚନ ଆରମ୍ଭ  ହେଉଛି। ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ ସୁରକ୍ଷିତ ଓ ନିରପେକ୍ଷ ମତଦାନକୁ ନେଇ ଆରମ୍ଭରୁ ବହୁତ ସତର୍କ ହୋଇ ଯାଇଛନ୍ତି। ଆୟୋଗ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତ ପାଇଁ ପର୍ଯ୍ୟବେକ୍ଷକ ମଧ୍ୟ ପଠାଇଛି। ଶୁକ୍ରବାର ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଅଜୟ ନାୟକ ଓ ପୋଲିସ ପର୍ଯ୍ୟବେକ୍ଷକ ଭାବେ ବିବେକ ଦୁବେଙ୍କୁ କୋଲକାତା ପଠାଯାଇଥିଲା।

ଦୁଇ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହା ପରେ ମଙ୍ଗଳବାର ଡିଜିପିଙ୍କ ବଦଳି ପାଇଁ ଆୟୋଗଙ୍କ ତରଫରୁ ଆଦେଶ ଦିଆଯାଇଛି। ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପରେ ଡିଜିପିଙ୍କ ବଦଳି ନିଷ୍ପତ୍ତି ନିଆଯାଇଥିବା ଆୟୋଗ କହିଛନ୍ତି। ଏ ସଂପର୍କରେ ଆୟୋଗ ରାଜ୍ୟ ସରକାରଙ୍କୁ ଆଦେଶ ପତ୍ର ମଧ୍ୟ ପଠାଇଛନ୍ତି।