ଭାଲୁ ଆକ୍ରମଣରେ ଯୁବକ ଗୁରୁତର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଜଙ୍ଗଲକୁ ଲାଗି ରହିଥିବା ତେନ୍ତୁଳିଆପଡା ଗ୍ରାମର କାମଦେବ ରାଉତ( ୩୩) ନିଜ ଚାଷଜମିକୁ ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ସେ କୌଣସି ପ୍ରକାରେ ଭାଲୁ କବଳରୁ ଖସି ଗାଁକୁ ଚାଲି ଆସିଥିଲେ। ତାଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଆଣି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅତି ଗରୁତର ଥିବାରୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ଯୁବକ ଜଣକ ଜଣେ ଛୋଟ ଚାଷୀ ଓ ଗରିବ ପରିବାରର ହୋଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଜଙ୍ଗଲ ବିଭାଗ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଅନ୍ୟପଟେ ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି।