ମାତ୍ର ୯ ସେକେଣ୍ଡ । ଆଉ ତା’ ପରେ ଧ୍ବଂସ ହୋଇଯିବ ଦେଶର ସବୁଠାରୁ ବଡ ଏବଂ ବିବାଦୀୟ ଟ୍ବିନ୍ ଟାଓ୍ବାର । ବିସ୍ଫୋରଣରେ ଭଙ୍ଗାଯିବ ସମ୍ପୂର୍ଣ୍ଣ ବିଲଡିଂ । ଏ ନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି । ପ୍ରାୟ ୩୭୦୦ କେଜିର ବିସ୍ଫୋରକ ଖଞ୍ଜାଯାଇଛି । ଅପରାହ୍ନ ୨.୩୦ ମିନିଟରେ ନୋଏଡା ସେକ୍ଟର-୯୩ ଏ ରେ ଥିବା ଟ୍ବିନ୍ ଟାଓ୍ବାରକୁ ବିସ୍ଫୋରକ ମାଧ୍ୟମରେ ଉଡାଇ ଦିଆଯିବ । ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଶାଳ ବିଲଡିଂ ମାତ୍ର କେଇ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯିବ ।
ନୋଏଡାରେ ଥିବା ଟ୍ବିନ୍ ଟାଓ୍ବାର ନିକଟରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ କୌଣସି ଜନଗହଳି ଯେପରି ନହୁଏ ସେଥିପାଇଁ ୫୬୦ ଜଣ ପୋଲିସ କର୍ମୀ, ରିଜର୍ଭ ପୋଲିସ ଫୋର୍ସର ୧୦୦ ଯବାନ, ୪ଟି କ୍ବିକ୍ ରିସ୍ପୋନ୍ସ ଟିମ୍ ଏବଂ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ସୁପରଟେକ୍ ଟ୍ବିନ୍ ଟାଓ୍ବାରକୁ ଭାଙ୍ଗିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି । ୧୩ ବର୍ଷ ହେଲା ସେଠାରେ ଛିଡା ହୋଇଥିବା ଟ୍ବିନ୍ ଟାଓ୍ବାର ମାତ୍ର ୯ ସେକେଣ୍ଡରେ ଧ୍ବଂସ ହୋଇଯିବ ।