Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଲ୍‌ଆଣ୍ଡଟି ସିଇଓ

ଏଲ୍‌ଆଣ୍ଡଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍‌ଏନ୍‌ ସୁବ୍ରମଣ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟରେ ଶିଳ୍ପର ଅଗ୍ରଗତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ବେଳେ ରାଜ୍ୟରେ କିଛି ନୂଆ ଶିଳ୍ପ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଏଲ୍‌ଆଣ୍ଡଟିକୁ ପ୍ରସ୍ତାବ ଦେଇଛନ୍ତି। ପାରାଦ୍ବୀପ, ଗୋପାଳପୁର ଓ ଧାମରା ପରି ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ସାଙ୍ଗକୁ ଏରୋସ୍ପେସ ଓ ସାମରିକ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ।

ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ମାଇଣ୍ଡ ଟ୍ରି ପକ୍ଷରୁ ରାଜ୍ୟରେ ଗ୍ଲୋବାଲ ଲର୍ଣ୍ଣିଂ ଓ ସଫ୍ଟୱେୟାର ଡେଲିଭରି ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏହାକୁ ଡେଭଲପମେଣ୍ଟ ସେଣ୍ଟର ଭାବେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ଏଲ୍‌ଆଣ୍ଡଟିକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ଗୋପାଳପୁର, ଧାମରା ଓ ପାରାଦ୍ବୀପ ଭଳି ୩ଟି ବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏଲ୍‌ଆଣ୍ଡଟି ପକ୍ଷରୁ ଉଭୟ ସାମରିକ ଓ ବାଣିଜ୍ୟିକ ଜାହଜ ମରାମତି କାରଖାନା ପ୍ରତିଷ୍ଠା କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି।

ସେହିପରି ଦକ୍ଷତା ବିକାଶ ଦିଗରେ ଏଲ ଆଣ୍ଡ ଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନ ବଢୁଥିବାରୁ ଆଗାମୀ ଦିନରେ ମାଇନିଂ, ମେକାନିକାଲ ଯନ୍ତ୍ରାଂଶ ସାଙ୍ଗକୁ ଶିଳ୍ପ ଓ ସାମାଜିକ ଭିତ୍ତିଭୂମିରେ ମଧ୍ୟ ବିକାଶ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏଲ ଆଣ୍ଡ ଟି ନିଜର କ୍ଷମତା ସଂପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ରୂପାନ୍ତରିକରଣ ପ୍ରକ୍ରିୟା ଜାରି ରହିଛି । ଶିଳ୍ପ ଅଞ୍ଚଳରେ ଥିବା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରି ଏହାର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଫଳରେ ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଛୁଆମାନେ ଉନ୍ନତ ଶିକ୍ଷାର ସୁଯୋଗ ପାଇପାରିବେ ।