Odia News Portal

ଶ୍ରୀନଅରରେ ୨୪ ବ୍ରାହ୍ମଣ ବରଣ: ସହସ୍ର କୁମ୍ଭାଭିଷେକ ପରେ ଦେବୀପୀଠରେ ପୂଜା ଆରମ୍ଭ

ରାଧାଷ୍ଟମୀରୁ ଶୟନରେ ଯାଇଥିବା ଦେବୀ ଆଜି ଜାଗ୍ରତ ହୋଇଛନ୍ତି। ମୂଳାଷ୍ଟମୀ ତିଥି ଅବସରରେ ଆଜି ଦେବୀଙ୍କୁ ସହସ୍ର କୁମ୍ଭାଭିଷେକ କରାଯାଇଛି। ଷୋଡ଼ଶ ଉପଚାରରେ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଆରମ୍ଭ ହୋଇଛି। ଉତ୍କଳୀୟ ପରମ୍ପରା ଅନୁସାରେ ଗଜପତି ମହାରାଜ ଶ୍ରୀନଅରରେ ରାଜଗୁରୁଙ୍କୁ ଗୁଆ, ନଡ଼ିଆ, ବସ୍ତ୍ର ଓ ଚାଉଳ ଟେକି ଆଚାର୍ଯ୍ୟ ରୂପେ ବରଣ କରିଛନ୍ତି। ରାଜଗୁରୁ ୨୪ ଜଣ ବ୍ରାହ୍ମଣଙ୍କୁ ବରଣ କରିଛନ୍ତି। ଚଳିତ ବର୍ଷ ଷୋଳ ପୂଜା ୧୭ ଦିନ ଧରି ଅନୁଷ୍ଠିତ ହେବ ବୋଲି ରାଜଗୁରୁ ସୂଚନା ଦେଇଛନ୍ତି।ପ୍ରଥମେ ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଗୁରୁ ଦେବୀପ୍ରସନ୍ନ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁଙ୍କୁ ଗଜପତି ବରଣ କରିଥିଲେ। ନରସିଂହପୁରର ରଥ ସାମନ୍ତ ପରିବାରର ତଥା ବିମଳା ଦେବୀ ପୀଠର ମୁଖ୍ୟ ପୂଜକଙ୍କ ସମେତ ଶ୍ରୀମନ୍ଦିର ପରିସରରେ ଭୁବନେଶ୍ବରୀ ପୀଠ, ବଟମଙ୍ଗଳା ଓ ମା’ ଉତ୍ତରାୟଣୀ ଦେବୀ ପୀଠ ପୂଜକଙ୍କୁ ବରଣ କରାଯାଇଛି। ଏଥିସହ ମା’ ଦକ୍ଷିଣକାଳିକା, ଚର୍ଚ୍ଚିକା, ଅଲାମଚଣ୍ଡୀଙ୍କ ଷୋଡ଼ଶ ଉପଚାର ପୂଜା ପାଇଁ ପୂଜକଙ୍କୁ ବରଣ କରାଯାଇଛି। ଏହାବ୍ୟତୀତ ପଞ୍ଚକୋଶ ଭିତରେ ଶାସନ ଗ୍ରାମ କପିଳେଶ୍ବରପୁରରେ ଆରାଧ୍ୟା ପଞ୍ଚମୁଖୀ ଦେବୀ ଏବଂ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଗୋପାଳୁଣୀଙ୍କ ପାଇଁ ଜଣେ ପୂଜକ ଗଜପତିଙ୍କର ତରଫରୁ ବରଣ ହୋଇଯାଇଛନ୍ତି। ମୂଳାଷ୍ଟମୀରୁ ମହାନବମୀ ପର୍ଯ୍ୟନ୍ତ ତ୍ରିକାଳ ପୂଜା ଅନୁଷ୍ଠିତ ହେବ। ବରଣ ହୋଇଥିବା ବ୍ରାହ୍ମଣମାନେ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ପୂଜା କରିବେ। ମନ୍ଦିରରେ ସକାଳ ଧୂପ ପରେ ସହସ୍ର କୁମ୍ଭାଭିଷେକ କରାଯାଇଛି। ପରେ ବିମଳା ଦେବୀଙ୍କ ଜଗମୋହନରେ ଅନ୍ୟ ପୂଜକ ବ୍ରାହ୍ମଣମାନଙ୍କୁ ବରଣ କରାଯାଇଛି। ଚଣ୍ଡୀ ପାଠକ, ମନ୍ତ୍ର ଜାପକ, ସହସ୍ରନାମ ପାଠକଙ୍କୁ ବରଣ କରାଯାଇଛି। ଉକ୍ତ ଦେବୀ ପୀଠମାନଙ୍କରେ ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ମହାପୂଜା ଅନୁଷ୍ଠିତ ହେବ। ମହାନବମୀ ରାତିରେ ପୂଜା ବିସର୍ଜନ ହେବ। ଦଶହରାରେ ଆୟୁଧ ପୂଜା ହୋଇ ସୁନାବେଶ କରାଯିବ। ବ୍ରାହ୍ମଣମାନେ ଶୁଦ୍ଧପୁତ ଭାବେ ଗୋଟିଏ ଓଳି ହବିଷ୍ୟାନ୍ନ ମହାପ୍ରସାଦ ଗ୍ରହଣ କରି ନିଷ୍ଠାର ସହ କାର୍ଯ୍ୟ ସମ୍ପନ୍ନ କରିବେ। ଦୁଇ ରାଜଗୁରୁ ଦେବୀପ୍ରସନ୍ନ ରାଜଗୁରୁ, ସୁଧାଂଶୁ ରାଜଗୁରୁ, ଦେଉଳ ପୁରୋହିତ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସମ୍ପାଦକ ତତ୍ତ୍ବାବଧାରକ ଦାୟିତ୍ବ ତୁଲାଇବେ। ୨୪ ଜଣ ବ୍ରାହ୍ମଣଙ୍କ ପୂଜା ବିଧାନ, ସମୟ ନିର୍ଘଣ୍ଟ ସ୍ଥିରୀକୃତ କରିବେ। ଗଜପତି ମହାରାଜାଙ୍କ ନଅରରେ ଗଜପତିଙ୍କ ଇଷ୍ଟଦେବୀ କନକ ଦୁର୍ଗା ମା’ ଶ୍ୟାମାକାଳୀଙ୍କ ପୂଜା ପାରମ୍ପରିକ ବିଧିମତେ ଆରମ୍ଭ ହୋଇଛି। ବରଣ ହୋଇଥିବା ବ୍ରାହ୍ମଣମାନେ ହେଲେ ବିକ୍ରମ ରଥ, ସୁନୀଲ କୁମାର ମହାପାତ୍ର, ଦୁର୍ଗାପ୍ରସାଦ ମିଶ୍ର, ସରୋଜ କୁମାର ମିଶ୍ର, ବସନ୍ତ କୁମାର ମିଶ୍ର, ପ୍ରଦୀପ୍ତ କୁମାର ମିଶ୍ର, ଗଦାଧର ଦାଶ, ଦେବପ୍ରସାଦ ମିଶ୍ର, ବିମଳ ପ୍ରସାଦ ରଥ, ବିଜୟ କୁମାର ଶତପଥୀ, ରବିଚରଣ ରଥ, ବିଶ୍ବନାଥ ମିଶ୍ର, ବିଶ୍ବମ୍ଭର ଦାଶ, ବିରଞ୍ଚି ନାରାୟଣ ମିଶ୍ର, ସୂର୍ଯ୍ୟପ୍ରସାଦ ତ୍ରିପାଠୀ, ଦେବପ୍ରସାଦ ମିଶ୍ର (ଖ), ହିମାଂଶୁ ଭୂଷଣ ତ୍ରିପାଠୀ, ଗୋବିନ୍ଦଚନ୍ଦ୍ର ମିଶ୍ର, ରିଙ୍କୁନାଥ ଷଡ଼ଙ୍ଗୀ, ନୀଳକଣ୍ଠ ମିଶ୍ର, ପ୍ରକାଶଚନ୍ଦ୍ର କର, ଉଦୟନାଥ ମହାପାତ୍ର, ଶ୍ରୀକାନ୍ତ କୁମାର ମହାପାତ୍ର ଓ ମନୋଜ ପୁଷ୍ପାଳକ। ଦୁଇ ରାଜଗୁରୁଙ୍କ ସମେତ ସିଦ୍ଧେଶ୍ବର ମହାପାତ୍ର, ପ୍ରଫୁଲ୍ଲ କୁମାର ମିଶ୍ର ପ୍ରଚାରକ ଓ ତତ୍ତ୍ବାବଧାରକ ଦାୟିତ୍ବ ତୁଲାଇବେ।