ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସପାଇଛି । ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇରେ ରାଜ୍ୟର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କମିଛି । ମୃତ୍ୟୁହାର ୪.୦୧% ହ୍ରାସପାଇଥିବା ରାଜ୍ୟ ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଶ୍ରୀ ସେଠୀ କହିଛନ୍ତି ଯେ ଜୁଲାଇ ୨୦୨୧ରେ ୩୯୯ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ୨୦୨୨ ଜୁଲାଇରେ ଏହା ୩୮୩କୁ ଖସି ଆସିଥିଲା । ସୂଚନାଯୋଗ୍ୟ, ବର୍ଷର ତ୍ରୟମାସିକରେ ରାଜ୍ୟ ଦୁର୍ଘଟଣାରେ ୧୦ ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୭.୫୫ ପ୍ରତିଶତକୁ ଖସି ଆସିଛି । ରାଜ୍ୟରେ ସଡ଼କ ସୁରକ୍ଷା ନିୟମକୁ କଡାକଡି ପାଳନ କରିବାର ଏହା ହେଉଛି ଫଳ । ୨୦୨୧ ରୁ ୨୦୨୨ ମଧ୍ୟରେ ମୋଟ୍ ୨,୪୭,୯୪୫ଟି ଇ-ଚାଲାଣ କଟାଯାଇଛି । କିନ୍ତୁ ୨୦୨୨-୨୩ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୨,୮୬,୬୮୨ ଇ-ଚାଲାଣ କଟାଯାଇଛି । ଏହାଦ୍ୱାରା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଉପରେ ହ୍ରାସ ପରିଲକ୍ଷିତ ହୋଇଛି । ଏହି ଦିଗ ଆଗାମୀ ଦିନରେ ମଧ୍ୟ ବଳବତ୍ତର ରହିବ ।
ପୂର୍ବବର୍ଷର ପ୍ରଥମ ତ୍ରୈମାସିକରେ ୩୨୩୦ ଦୁର୍ଘଟଣା ଏବଂ ୧୪୭୦ ମୃତ୍ୟୁ ପଞ୍ଜିକୃତ ହୋଇଛି । ତେବେ ଦ୍ୱିତୀୟ ତ୍ରୈମାସିକରେ (ଏପ୍ରିଲ୍-ଜୁନ୍) ୨୦୨୨କୁ ଯଦି ୨୦୨୧ ଲକଡାଉନ୍ ସମୟ ସହିତ ତୁଳନା କରାଯାଏ; ତେବେ ଦୁର୍ଘଟଣା ଏବଂ ମୃତ୍ୟୁହାରରେ ଯଥେଷ୍ଟ ବୃଦ୍ଧି ଘଟିଥିଲା । କରୋନା ଅବଧି ସମୟରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଯାହାଦ୍ୱାରା କମ୍ ସଂଖ୍ୟକ ଦୁର୍ଘଟଣା ଘଟିଥିଲା । ୨୦୨୨ ର ଦ୍ୱିତୀୟ ତ୍ରୈମାସିକରେ ଦୁର୍ଘଟଣା ଏବଂ ମୃତ୍ୟୁହାର ବୃଦ୍ଧି ୨୦୨୧ରେ ଏପ୍ରିଲ୍ ରୁ ଜୁନ୍ ମଧ୍ୟରେ ଲକଡାଉନ୍ ହେତୁ ହୋଇଛି । ୪ଇଏସ୍- ଏନଫୋର୍ସମେଣ୍ଟ, ଶିକ୍ଷା, ସଡ଼କ ଇଞ୍ଜିନିୟରିଂରେ ଉନ୍ନତି ଏବଂ ଜରୁରୀକାଳୀନ ଚିକିତ୍ସା ମାଧ୍ୟମରେ ରାସ୍ତାକୁ ସୁରକ୍ଷିତ କରିବା ପାଇଁ ଓଡିଶା ଏକ ଚାରି ଗୁଣ ରଣନୀତି ଆପଣେଇଛି । ସଡ଼କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ରାଜ୍ୟ ୬୬ ପ୍ରତିଶତ ସ୍କୋର କରିଛି ଏବଂ ‘ଉଚ୍ଚ ପ୍ରଦର୍ଶନକାରୀ’ ଶ୍ରେଣୀଭୁକ୍ତ ହୋଇଛି ।
ସୁପ୍ରିମ୍କୋର୍ଟ କମିଟି ମଧ୍ୟ ଓଡିଶାର କେତେକ ପଦକ୍ଷେପକୁ ସର୍ବୋତ୍ତମ ଅଭ୍ୟାସ ଭାବରେ ମୂଲ୍ୟାଙ୍କନ କରିଛି ଏବଂ ପଡୋଶୀ ରାଜ୍ୟମାନଙ୍କୁ ସୁପାରିସ କରିବାକୁ ପରାମର୍ଶ ଦେଇଛି । ଆଜି ପର୍ଯ୍ୟନ୍ତ ପ୍ରାୟ ୧୧୦୦୦ ଫାଷ୍ଟ ରେସପଣ୍ଡର ଦୁର୍ଘଟଣା ପ୍ରବଣ ଅଞ୍ଚଳ ନିକଟରେ ରହି ଅପରେସନ୍ ରକ୍ଷକ ଅଧୀନରେ ଓଡିଶାରେ ତାଲିମ ପ୍ରାପ୍ତ ହୋଇଛନ୍ତି । ରାଜ୍ୟରେ ସଡ଼କ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଆଉ ଏକ ପ୍ରସ୍ତାବରେ, ଓଡ଼ିଶା ଡ୍ରାଇଭରଙ୍କ ଦକ୍ଷତାକୁ ବୃଦ୍ଧି କରିବା ଏବଂ ରାଜ୍ୟରେ ଦୁର୍ଘଟଣା ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ ରାଜ୍ୟର ଭାରୀ ଯାନ ଡ୍ରାଇଭରମାନଙ୍କ ପାଇଁ ସତେଜ ତାଲିମ କାର୍ଯ୍ୟକ୍ରମ ‘ବାହକ’ ଆରମ୍ଭ କରିଛି ।
ଓଡ଼ିଶାରେ ୧୦୦% ସଡ଼କ ସଙ୍କେତ ଅନୁକୂଳ କରିବା ପାଇଁ ରାଜ୍ୟ ସଡ଼କ ସଙ୍କେତ ଅଡିଟ୍ ପାଇଁ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛି। ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ବୀରମିତ୍ରପୁରର ପୌରପାଳିକା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରି ସୁନ୍ଦରଗଡ଼ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମ୍ଏସ୍) ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏକ ସୁଚିନ୍ତିତ ତାଲିମ କ୍ୟାଲେଣ୍ଡର ମାଧ୍ୟମରେ ବ୍ୟବସ୍ଥିତ ପ୍ରକ୍ରିୟାରେ ଇଞ୍ଜିନିୟର, ବାଣିଜ୍ୟିକ ଡ୍ରାଇଭର, ଟ୍ରାଫିକ୍ ପୋଲିସ୍ କର୍ମଚାରୀ, ରାଜପଥ ଇଞ୍ଜିନିୟର୍ ଏବଂ ଯୋଜନାକାରୀଙ୍କୁ ସଡକ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି ।