Odia News Portal

୨୪ ରେ ବାତ୍ୟା।

ଯଦି ସାମାନ୍ୟ ଅନୁକୂଳ ରହେ, ଏହା ଉତ୍ତର ଆନ୍ଧ୍ର ଉପକୂଳରେ ୨୪ରେ ଉପକୂଳ ଛୁଇଁବ । ଯଦି ପାଗ ଅଧିକ ଅନୁକୂଳ ହେବ, ତେବେ ପଶ୍ଚିମବଙ୍ଗ କିମ୍ବା ସାଗରଦୀପକୁ ପ୍ରବେଶ କରିପାରେ ୨୬ ତାରିଖକୁ । ଯଦି ବାତ୍ୟା ନେଇ ପାଗ ମଧ୍ୟମ ଧରଣର ଅନୁକୂଳ ରହିବ, ତାହା ଓଡ଼ିଶା ମୁହାଁ ହୋଇପାରେ । ୨୫ରେ ଓଡ଼ିଶା କିମ୍ବା ସଂଲଗ୍ନ ଅଞ୍ଚଳକୁ ଛୁଇଁପାରେ ।

  ବାତ୍ୟାର ତୀବ୍ରତା ଓ ଗତିପଥ ନେଇ ଏବେ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ । ପ୍ରାକ୍‌ ଆକଳନ ଅନୁସାରେ ସମୁଦ୍ରରେ ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୭୦ରୁ ୯୦ କିମି ବେଗରେ ପବନ ବହିପାରେ । କିନ୍ତୁ, ସ୍ଥଳଭାଗକୁ ଆସିଲାବେଳକୁ ପବନ କୋପ କମିପାରେ । ବାତ୍ୟା ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁଲେ ଓଡ଼ିଶାରେ ୪୦-୬୦ କିମି ବେଗରେ ପବନ ହୋଇପାରେ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ବି ଅଧିକ ପବନ ହୋଇପାରେ । ମାତ୍ର ଯଦି ବାତ୍ୟା ଓଡ଼ିଶା ଉପକୂଳକୁ ଘଷି ହୋଇ ପଶ୍ଚିମବଙ୍ଗ ଯିବ, ତେବେ ୫୦ରୁ ୭୦ କିମି ପର୍ଯ୍ୟନ୍ତ ପବନ ହୋଇପାରେ । ଓଡ଼ିଶା ଉପକୂଳ ଛୁଇଁଲେ ୬୦ କିମିରୁ ଅଧିକ ବେଗରେ ପବନ ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟାରେ ପବନର ଝଟକା (ଗଷ୍ଟିଙ୍ଗ) ଆଉ ୧୫ କିମି ଅଧିକ ରହିପାରେ । 

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବାତ୍ୟା ଆନ୍ଧ୍ରକୁ ପଶିଲେ, ଦକ୍ଷିଣ ଓଡ଼ିଶାରେ ଏହି ଦୁଇଦିନରେ ହାରାହାରି ୯୦ରୁ ୧୦୦ ମିଲିମିଟର ବର୍ଷା ଢାଳିପାରେ । ଉପକୂଳ ଅଞ୍ଚଳରେ ୬୦ରୁ ୮୦ ମିମି ବର୍ଷା ହୋଇପାରେ । ଓଡ଼ିଶାକୁ ବାତ୍ୟା ଆସିଲେ ଉପକୂଳ ଅଞ୍ଚଳରେ ଦୁଇଦିନରେ ହାରାହାରି ୧୨୦ ମିମି ବର୍ଷା ଆଶଙ୍କା ଅଛି । ଯଦି ବାତ୍ୟା ପଶ୍ଚିମବଙ୍ଗକୁ ଯିବ, ତେବେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ପ୍ରଫେସର ପଶୁପାଳକ କହିଛନ୍ତି, ଏସବୁ କେବଳ ପ୍ରାକ୍‌ ଆକଳନ । ପବନ ଓ ଗତିପଥ ଆଗକୁ ପରିବର୍ତ୍ତନ ବି ହୋଇପାରେ । ଲଘୁଚାପ ହେବା ପରେ ସ୍ଥିତି ଅଧିକ ସ୍ପଷ୍ଟ ହେବ ।

ପାଣିପାଗ ବିଭାଗ କହିଛି, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ଯିବ । ୨୨ ତାରିଖବେଳକୁ ଅଧିକ ଘନୀଭୂତ ହୋଇପାରେ । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି ।