ଭୁବନେଶ୍ୱର: ଜୁଲାଇ ୩୧ ସୁଦ୍ଧା +୨ ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରିବା ଲାଗି ସିଏଚ୍ଏସ୍ଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛି । ଅନ୍ୟପକ୍ଷରେ ଦଶ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ୍ ରେକର୍ଡ଼ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏଥିଲାଗି ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । +୨ ପ୍ରାକ୍ଟିକାଲ୍ ରିପୋର୍ଟ ଦାଖଲ ପାଇଁ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ଼ ମଧ୍ୟ ଆଜି ଠାରୁ ଅନଲାଇନରେ ଉପଲବ୍ଧ ହେବ । ସାମ୍ସ ସାଇଟ୍ରୁ ଛାତ୍ରଛାତ୍ରୀଆଡମିଟ କାର୍ଡ଼ ଡାଉନଲୋଡ୍ କରିପାରିବେ। ସେମାନଙ୍କ ପଞ୍ଜୀକରଣ ନମ୍ବର ଓ ଜନ୍ମ ତାରିଖ ଅନୁସାରେ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ଼ ଡାଉନଲୋଡ କରିବେ ।
ଯେଉଁମାନେ ଡାଉନ୍ଲୋଡ୍ କରିପାରିବେ ନାହିଁ; ସେମାନେ କୋଭିଡ-୧୯ ନିୟମ ପାଳନ କରି କଲେଜରୁ ଆଡମିଟ୍ କାର୍ଡ ସଂଗ୍ରହ କରିପାରିବେ । ପ୍ରାକ୍ଟିକାଲ ରିପୋର୍ଟ ଦାଖଲ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀ ଯେପରି ଆଡମିଟ୍ କାର୍ଡ ପାଇବେ କଲେଜ ଅଧ୍ୟକ୍ଷମାନେ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ସଂଗ୍ରହ ବେଳେ ନିଜର ପୂର୍ବବର୍ଷ ମାର୍କସିଟ୍ ଓ ଆଡମିଟ୍ କାର୍ଡ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ଜୁଲାଇ ୭ ସୁଦ୍ଧା ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।