Odia News Portal

ତୀବ୍ର ହେଲା ଖେଳାଳି ଓ ଶ୍ରୀଲଙ୍କା ବୋର୍ଡ ବିବାଦ

କଲୋମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‌ରେ ବଡ ଧରଣର ସଙ୍କଟ। ଖେଳାଳି ଓ ବୋର୍ଡ ମଧ୍ୟରେ ସୃଷ୍ଟି ବିବାଦକୁ ନେଇ ସୃଷ୍ଟି ହୋଇଛି ଝଡ। ବୋର୍ଡର ନୂତନ ଅନୁବନ୍ଧ କାରଣରୁ ଦଳର ବର୍ତ୍ତମାନର ସମସ୍ତ ୨୪ ଖେଳାଳି କେନ୍ଦ୍ରୀୟ ଅନୁବନ୍ଧ(ସେଣ୍ଟ୍ରାଲ କଣ୍ଟ୍ରାକ୍ଟ) ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କ୍ରିକେଟର ଅଭିଯୋଗ କରିଛନ୍ତି ଯେ, ଯେଉଁ ପ୍ରକ୍ରିୟାରେ ଅନୁବନ୍ଧକୁ ଚାରି ଭାଗରେ ବିଭକ୍ତ କରାଯାଇଛି, ସେଥିରେ ପାରଦର୍ଶିତାର ଅଭାବ ରହିଛି।

କ୍ରିକେଟ୍ ଓ୍ଵେବସାଇଟ୍ କ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ନୂତନ ଚୁକ୍ତିରେ ହସ୍ତାକ୍ଷର କରିବା ପାଇଁ ଖେଳାଳିଙ୍କୁ ଜୁନ ୩ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କିନ୍ତୁ ଖେଳାଳି ନୂତନ ଅନୁବନ୍ଧରେ ପାରିଦର୍ଶିତା ଦାବି କରିଛନ୍ତି। ଅନ୍ୟପଟେ କ୍ରିକେଟ୍‌ରଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ ଆଟର୍ଣ୍ଣି ନିଶାନ ସିଡନୀ ପ୍ରେମଥିରତ୍ନେ କହିଛନ୍ତି, ଖେଳାଳି ଅନୁଚିତ୍ ଓ ଅଣପାରଦର୍ଶୀ ଅନୁବନ୍ଧ ଉପରେ ସ୍ଵାକ୍ଷର କରିବାକୁ ସହମତ ନାହାନ୍ତି। ଆମେ ବୋର୍ଡକୁ ଅନୁରୋଧ କରୁଛୁ ଯେ, ଖେଳାଳିଙ୍କୁ ବନ୍ଦୁକ ମୂନରେ ଏହି କାମ କରିବା ପାଇଁ ଚାପ ପକାନଯାଉ।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଶ୍ରୀଲଙ୍କା ଦଳ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବାଂଲାଦେଶ ଗସ୍ତରେ ଅଛି। ମେ ୨୩ରେ ଦୁଇ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ। ଏହା ପରେ ଜୁଲାଇ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନୂତନ ଗ୍ରେଡିଂ ସିଷ୍ଟମ ଲାଗୁ କରିଛି । ଖେଳାଳିଙ୍କୁ ଚାରି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରେଡିଂ ସିଷ୍ଟମ ଅନୁସାରେ ଖେଳାଳିଙ୍କୁ ପଏଣ୍ଟ ଦିଆଯିବ ଏବଂ ଏହାରି ଆଧାରରେ ସେମାନଙ୍କର ବାର୍ଷିକ ବେତନ ସ୍ଥିର ହେବ । ଏଥିରେ ଖେଳାଳିଙ୍କ ଫିଟନେସ୍‌, ବ୍ୟବହାର, ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଦର୍ଶନକୁ ମାପଦଣ୍ଡ କରାଯିବ।  ଖେଳାଳି କିପରି ପ୍ରଦର୍ଶନ କରୁଛନ୍ତି, ସେହି ଆଧାରରେ ଖେଳାଳିଙ୍କୁ ଅଙ୍କ ମିଳିବ।

ଗ୍ରେଡିଂ ସିଷ୍ଟମକୁ ନେଇ ଖେଳାଳି ଅସନ୍ତୁଷ୍ଟ ହେବାର କାରଣ ସେମାନଙ୍କୁ ଲାଗୁଛି ଯେ, ଏଥିରେ ପାରଦର୍ଶିତାର ଅଭାବ ରହିଛି । ନୂତନ ସିଷ୍ଟମରେ ସେମାନଙ୍କର ଆୟ ଉପରେ ଗଭୀର ପ୍ରଭାବ ପଡିଛି। ବାର୍ଷିକ ଆୟରେ ହ୍ରାସ ଘଟିଛି । କରୋନା ଭାଇରସ୍ ପ୍ରଭାବରେ  ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି ନିକଟରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନୂତନ ସିଷ୍ଟମ ଲାଗୁ କରିଛି। ଏହାରି ଆଧାରରେ ଖେଳାଳିଙ୍କ ବେତନ ହ୍ରାସ ପାଇଛି।

ଶ୍ରୀଲଙ୍କା ଖେଳାଳି ଜାଣିବାକୁ ଚାହୁଁଛନ୍ତି ଯେ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କିପରି ଏବଂ କେଉଁ ଆଧାରରେ ସେମାନଙ୍କୁ ପଏଣ୍ଟ ଦେବ । ଯଦି ସେମାନେ ପୂରା ପ୍ରକ୍ରିୟା ବିଷୟରେ ଜାଣିବେ ତେବେ ସେହି ଆଧାରରେ ନିଜକୁ ଦଳ ପାଇଁ ପ୍ରସ୍ତୁତ କରିବେ। ନିଜ ଖେଳରେ ଉନ୍ନତି ପାଇଁ ସେହି ଦିଗରେ ପ୍ରୟାସ କରିବେ।