ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଲାଗିଛି ରକ୍ତର ଛିଟା | ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା କଳହ ଶେଷରେ ନେଲା ଭୟଙ୍କର ରୂପ। ହେମଦସ୍ତାରେ ସ୍ୱାମୀ ମୁଣ୍ଡକୁ ଛେଚି ହତ୍ୟା କଲା ସ୍ତ୍ରୀ। କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ ପାଇଁ ଘର ନିକଟରେ ମୃତଦେହକୁ ପୋତି ମଧ୍ୟ ଦେଇଥିଲା। ତେବେ ଦୀର୍ଘ ୩ ମାସ ପରେ ଘଟଣା ଉପରୁ ପରଦା ହଟିଛି ।
ଦୀର୍ଘ ୩ ମାସ ପରେ ନିଜକୁ ନିଜେ ଧରା ପକାଇଛନ୍ତି ପତି ହନ୍ତା ପତ୍ନୀ। ସ୍ୱାମୀକୁ ପ୍ରଥମେ ହତ୍ୟା କରିବା ପରେ ବାଡ଼ି ପଟ ବାଉଁଶବୁଦା ମୂଳରେ ପୋଡ଼ି ଦେଇଥିବା ଘଟଣାକୁ ଏତେ ଦିନ ଲୁଚେଇ ରଖିବା କଥା ନିଜ ମୁହଁରେ ସ୍ୱୀକାର କରିଛି ସ୍ତ୍ରୀ। ଗତ ସେପ୍ଟେମ୍ବର ମାସରୁ ନିଧିରାମ ନିଖୋଜ ଥିବା ବେଳେ ବହୁ ଖୋଜାଖୋଜି ପରେ ମିଳି ନଥିଲେ । ସେହି ଗ୍ରାମର ଲିଲି ପୂର୍ବରୁ ବଳଙ୍ଗା ଥାନା ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବନମାଳିପୁର ଗାଁକୁ ନିଜ ଦୁଇ ଝିଅଙ୍କ ସହ ଫେରି ଆସି ଭଡ଼ାଘରେ ରହିଥିଲେ। କିଛି ଦିନ ପରେ ସେହି ଗାଁର ଘନ ଗିରିଙ୍କ ପୁଅ ନିଧିରାମଙ୍କ ସହିତ ଲିଲିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ଏକାଠି ରହିଥିଲେ ଓ ନିଧିରାମ ଓ ଲିଲିଙ୍କର ପୁଣି ୨ଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ। ତେବେ ଲିଲିଙ୍କ ଚରିତ୍ରକୁ ନେଇ ନିଧିରାମ ବାରମ୍ବାର ସନ୍ଦେହ କରୁଥିବା ଫଳରେ ବହୁ ସମୟରେ ପତି ପତ୍ନୀଙ୍କ ମଧ୍ୟରେ ତିକ୍ତତା ଲାଗିରହୁଥିଲା ।
ଘଟଣା ଦିନ ନିଧିରାମ ଘରେ ଝଗଡ଼ା କରିବାରୁ ସେ ଏକ ହେମଦସ୍ତାରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ନିଧିଙ୍କ ମୃତ୍ୟୁ ଘଟି ଥିଲା । ନିଧିଙ୍କ ମୃତଦେହକୁ ଲିଲି ଘରେ ୩ ଦିନ କାଳ ଲୁଚାଇ ରଖିଥିଲେ ଓ ପର ଦିନ ରାତିରେ ବାଡ଼ି ପଟ ବାଉଶଁବୁଦା ମୂଳରେ ପୋଡ଼ି ଦେଇଥିଲେ। ପୂରା ପୋଡ଼ି ନ ହେବାରୁ ଅର୍ଦ୍ଧଦଗ୍ଧ ଶରୀରକୁ ସେହିଠାରେ ଡାଳପତ୍ର ଘୋଡ଼ାଇ ଲୁଚାଇ ଦେଇଥିଲେ। ଏହା ପରେ ସେ ବାଲିପାଟଣା ଥାନାରେ ନିଧି ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହା ଭିତରେ କିନ୍ତୁ ଲିଲିର ହାବଭାବ ଚାଲିଚଳଣି ବଦଳି ଯାଇଥିଲା। ସେ ବହୁ ସମୟରେ ଭୟଭୀତ ରହୁଥିବା ଲୋକେ ଲକ୍ଷ୍ୟ କରୁଥିଲେ।
ତେବେ ସେ ଯେ ନିଜେ ବିଭିତ୍ସ ହତ୍ୟାକାଣ୍ଡ ଭିଆଇଥିବା ଘଟଣାକୁ ପଡ଼ୋଶୀଙ୍କୁ ଡାକି ସବୁ ସତ ଜଣାଇଥିଲା। ପଡ଼ୋଶୀମାନେ ଲିଲି ମୁହଁରୁ ଏହା ଶୁଣିବା ପରେ ନିଜ କାନକୁ ବିଶ୍ୱାସ କରି ପାରିନଥିଲେ। ଖବର ସଙ୍ଗେ ସଙ୍ଗେ ପ୍ରଚାରିତ ହୋଇ ଯାଇଥିଲା। ଖବର ପାଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସେଠାରେ ପହଞ୍ଚିଥିଲେ। ପୁଲିସ ଟିମ୍ ବାଉଁଶବୁଦା ମୂଳକୁ ଯାଇ ଅଳିଆ ଭିତରୁ ଖପୁରି ଓ କିଛି ହାଡ଼ ଜବତ କରିଥିଲା। ପୁଲିସ ଲିଲିକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି। ପୁଲିସ ସୂଚନାନୁସାରେ ଜବତ ହାଡ଼ରୁ ନିଧିଙ୍କ ଡିଏନ୍ଏ ପରୀକ୍ଷା କରାଯିବ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନା, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ।