ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ଏବେ ଏହି ଅଗ୍ନିବୀରଙ୍କୁ ନେଇ ବିଜେପି ନେତା କୈଳାଶ ବିଜୟବର୍ଗୀଙ୍କ ବୟାନ ପ୍ରଦର୍ଶନକାରୀଙ୍କୁ ଖୋରାକ ଯୋଗାଇଛି । ସୋସିଆଲ ମିଡିଆରେ ଏବେ ବିଜେପି ନେତା ବିଜୟବର୍ଗୀଙ୍କ ଏକ ବୟାନ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳିଛି କି ବିଜୟବର୍ଗୀ କହୁଛନ୍ତି କି, ଯଦି ବିଜେପି କାର୍ଯ୍ୟାଳୟରେ ଚୌକିଦାରର ଆବଶ୍ୟକତା ପଡେ ତେବେ ଅଗ୍ନିବୀରଙ୍କୁ ଦଳ ପ୍ରାଥମିକତା ଦେବ । ଇନ୍ଦୋରରେ ଏକ କାର୍ଯ୍ୟକ୍ରମରେ ଅଗ୍ନିପଥ ଯୋଜନାର ଉପକାରିତା ବୁଝାଇବାକୁ ଯାଇ ସେ ଏଭଳି କହିଛନ୍ତି ।
ବିଜେପି ନେତା ବିଜୟବର୍ଗୀଙ୍କ ଏଭଳି ବୟାନ ଏବେ ଅଗ୍ନିପଥ ଯୋଜନାକୁ ବିରୋଧ କରୁଥିବା ନେତାଙ୍କୁ ଖୋରାକ ଯୋଗାଇଛି । କୈଳାଶ ବିଜୟବର୍ଗୀଙ୍କ ଏଭଳି ବୟାନ ପରେ ପିଲିଭିତ ବିଜେପି ସାଂସଦ ବରୁଣ ଗାନ୍ଧୀ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ନିଜ ଦଳର ନେତା ବଜୟବର୍ଗୀଙ୍କୁ କଟାକ୍ଷ କରି କହୁଛନ୍ତି କି, ଯେଉଁ ମହାନ ସେନାଙ୍କ ବୀରଗାଥା କହିବାକୁ ଅସମର୍ଥ , ଯେଉଁ ସେନାର ପରାକ୍ରମରେ ସାରା ବିଶ୍ୱ ଚକିତ ସେଭଳି ମହାନବୀରଙ୍କୁ ଏକ ରାଜନୈତିକ ଦଳର କାର୍ଯ୍ୟାଳୟର ଚୌକିଦାରୀ କରିବାକୁ ନିମନ୍ତ୍ରଣ କରୁଥିବା ଲୋକଙ୍କୁ ଧନ୍ୟବାଦ । ଏହାସହ ବରୁଣ ଭାରତୀୟ ସେନା ମା ଭାରତୀର ସେବା କରିବାର ଏକ ମାଧ୍ୟମ, ଏହା ଏକ ଚାକିରି ନୁହେଁ ବୋଲି ସେ କହିଛନ୍ତି ।
