Odia News Portal

ଟାଟା ଗ୍ରୁପ୍ ହାତକୁ ଗଲା ଏୟାର ଇଣ୍ଡିଆ

ଟାଟା ଗ୍ରୁପ ହାତକୁ ଗଲା ଏୟାର ଇଣ୍ଡିଆ । ଆଜି ବିଧିବଦ୍ଧ ଭାବରେ ହସ୍ତାନ୍ତର ହୋଇଛି ଏୟାର ଇଣ୍ଡିଆ। । ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସରକାରଙ୍କୁ ପୂର୍ଣ୍ଣ ରାଶି ପୈଠ କଲାପରେ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି ଟାଟା ଗ୍ରୁପ୍ । ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ କହିଛନ୍ତି ଯେ ଏୟାର ଇଣ୍ଡିଆକୁ ଫେରି ପାଇ ଆମେ ବହୁତ ଖୁସି। ଏହାକୁ ଏକ ବିଶ୍ୱ ସ୍ତରୀୟ ଏୟାରଲାଇନରେ ପରିଣତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଔପଚାରିକ ହସ୍ତାନ୍ତର ପୂର୍ବରୁ ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ।
ଗତବର୍ଷ ଅକ୍ଟୋବର ମାସରେ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟାର ସହାୟକ କମ୍ପାନୀ ଟେଲେସ୍ ପ୍ରାଇଭେଟ୍ ଲିମିଟେଡ୍କୁ ବିକ୍ରି କରିଥିଲେ ଭାରତ ସରକାର । ଏଣିକି ଟାଟା ଗ୍ରୁପ ପକ୍ଷରୁ ଉଡାଣରେ କିଛି ପରିବର୍ତ୍ତନ ହୋଇପାରେ ।

ବର୍ତ୍ତମାନ ଏୟାର ଇଣ୍ଡିଆ ୪ ହଜାର ୪୦୦ ଡୋମେଷ୍ଟିକ୍ ଓ ୧ ହଜାର ୮୦୦ ଅନ୍ତର୍ଜାତୀୟ ଲ୍ୟାଣ୍ଡିଂ ଓ ପାର୍କିଂ ସ୍ଲଟ୍ ନିୟନ୍ତ୍ରଣ କରୁଛି । ଏୟାର ଲାଇନ୍ସର ୧୪୧ଟି ଏୟାରକ୍ରାଫ୍ଟ ପାଇବ ଟାଟା । ଏଥିରୁ ୯୯ ଏୟାରକ୍ରାଫ୍ଟର ମାଲିକାନା ଓ ୪୨ଟି ଏୟାରକ୍ରାଫ୍ଟ ଲିଜ୍ରେ ପାଇବ। ୧୯୩୨ରେ ଟାଟା ଏୟାର ଲାଇନ୍ସ ପ୍ରତିଷ୍ଠା କରିଥିଲା ଟାଟା ।

୧୯୪୬ରେ ଏୟାର ଇଣ୍ଡିଆ ନାଁରେ ଏହା ନାମିତ ହୋଇଥିଲା । ୧୯୫୩ରେ ସରକାର ଏହାକୁ ନିୟନ୍ତ୍ରଣକୁ ନେଇଥିଲେ । ୬୯ ବର୍ଷ ପରେ ଟାଟା ଗ୍ରୁପ ମାଲିକାନାକୁ ଫେରିଛି ଏୟାର ଇଣ୍ଡିଆ । ଆଜି ବିଧିବଦ୍ଧ ହସ୍ତାନ୍ତର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ୍ । ଆଜି ଏୟାର ଇଣ୍ଡିଆର ବର୍ତ୍ତମାନ ବୋର୍ଡ ଇସ୍ତଫା ଦେଇପାରନ୍ତି ।