Odia News Portal

ଆଜି ପବିତ୍ର ଅକ୍ଷୟ ତୃତୀୟା,ଜାଣନ୍ତୁ ଏହି ଦିନର ମହତ୍ତ୍ଵ…

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଏହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଚଳିତ ବର୍ଷ ମେ ୧୪ରେ ଅକ୍ଷୟ ତୃତୀୟା।

ଆଜିର ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଉଛି । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଏଣୁ ଆଜିର ଦିନରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ ।ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି । ଏହାଛଡ଼ା ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ହୋଇଥାଏ । ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ ଚାଷୀ ।

ଏହି ଦିନ ସୁନାର ଚାହିଦା ଖୁବ ବଢିଯାଏ। ପ୍ରତ୍ୟେକ ସୁନା ଦୋକାନରେ ଲୋକଙ୍କ ବେଶ ଭିଡ଼ ଜମିବାର ଦେଖିବାକୁ ମିଳେ।
ଏହି ଦିନ ସୁନା କିଣିଲେ ଜୀବନରେ ଅନନ୍ତ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ସୁନା କିଣିଥିବା ବ୍ୟକ୍ତିଙ୍କ ସହ ସମଗ୍ର ପରିବାର ସଦସ୍ୟଙ୍କୁ ମଧ୍ୟ ଏହାର ଶୁଭଫଳ ମିଳେ। ଏହି ଦିନ କିଣିଥିବା ସୁନା ପିଢୀ ଅନୁଯାୟୀ ବୃଦ୍ଧି ପାଇଥାଏ ବୋଲି କୁହାଯାଏ। ସୁନା ଏକ ମୂଲ୍ୟବାନ ଧାତୁ। ତେଣୁ ଏହି ଦିନରେ କିଣିଥିବା ସୁନା ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ଥିବାରୁ ଲୋକେ ସୁନା କିଣିଥାଆନ୍ତି।

ଅନ୍ୟପକ୍ଷେ ଅକ୍ଷୟ ତୃତୀୟା ଅବସରରେ ଆଜିଠୁ ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରାଯିବ । ଶ୍ରୀମନ୍ଦିର ସମ୍ମୁଖରେ ବିଜେ କରିଥିବା ଦେବୀ ଚର୍ଚ୍ଚିକାଙ୍କ ଆଗରେ ରଥଖଳା କରାଯାଇ ରଥ ନିର୍ମାଣ ଆରମ୍ଭ ହେବ । ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ରଥ ନିର୍ମାଣ କରାଯିବ । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ନିର୍ମାଣ କାମ ସୁରୁଖୁରୁରେ ସଂପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀମାନେ ରଥ ନିର୍ମାଣରେ ଲାଗିଥାନ୍ତି ।