Odia News Portal

ଚେନ୍ନାଇର ଆଉ ଏକ ଚମତ୍କାର ବିଜୟ

ସଂଘର୍ଷକରି ହାରିଗଲା କେକେଆର

ଚେନ୍ନାଇ : ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍ସର ଚମକ୍ରାର ଅଭିଯାନ ଜାରି ରହିଛି । ଆଜି ଅନୁଷ୍ଠିତ ଆଇପିଏଲ-୧୪ର ଦ୍ୱିତୀୟ ମ୍ୟାଚ୍ରେ ସିଏସ୍କେ ୧୮ ରନ୍ରେ କେକେଆର ପରାସ୍ତ କରିଛି । ସିଏସ୍କେର ଏହା କ୍ରମାଗତ ତୃତୀୟ ବିଜୟ ହୋଇଥିବାବେଳେ କେକେଆରର ହାଟି୍ରକ୍ ପରାଜୟ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୨୦ ରନ୍ କରିଥିବାବେଳେ କେକେଆର ୨୦୨ ରନ୍ କରିଥିଲା । କେକେଆରର ଶେଷ ମୁହୂର୍ତ ଝଡ଼ ଚେନ୍ନାଇ ବିଜୟ ରୋକିପାରିନଥିଲା ।

୨୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କୋଲକାତା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୫.୨ ଓଭରରେ ୩୧ ରନ କରି ୫ ଓ୍ଵିକେଟ୍  ହରାଇଥିଲା। ଲାଗୁଥିଲା ଦଳ ୧୦୦ ରନ ଭିତରେ ଅଲଆଉଟ୍ ହେବ। ହେଲେ ଆନ୍ଦ୍ରେ ରସେଲ କ୍ରିଜ୍‌କୁ ଓହ୍ଲାଇବା ମାତ୍ରେ ଚୌକା ଓ ଛକା ବର୍ଷା କରିଥିଲେ। ସେ ଦିନେଶ କାର୍ତ୍ତିକଙ୍କ ସହ ମିଶି ଚେନ୍ନାଇ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ଏକଦା ୫ ଓ୍ଵିକେଟ୍ ହରାଇ ୩୧ ରନ କରିଥିବା କେକେଆର ୧୦ ଓଭରରେ ୧୦୦ ରନ ଅତିକ୍ରମ କରିଥିଲା। ଆନ୍ଦ୍ରେ ରସେଲ ମାତ୍ର ୨୦ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ରସେଲ ୨୨ ବଲ୍‌ରୁ ୩ ଚୌକା ଓ ୬ ଛକା ସହ ୫୪ ରନ କରି ଆଉଟ୍ ହୋଇଥିଲେ। ରସେଲ ଓ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୮୧ ରନ ଯୋଡି ସ୍କୋରକୁ ୧୧୨ରେ ପହଞ୍ଚାଇଥିଲେ।ଦିନେଶ କାର୍ତ୍ତିକ ୨୪ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୦ ରନ କରି ଆଉଟ୍ ହେବା ପରେ କେକେଆରର ବିଜୟ ଆଶା ମଉଳି ଯାଇଥିଲା। କିନ୍ତୁ ପାଟ୍ କମିନ୍ସ ଗୋଟିଏ ପଟେ ଛିଡା  ହୋଇ ଛକା ଓ ଚୌକା ମାରି ଚାଲିଥିଲେ।  ସାମ କରନଙ୍କ ଗୋଟିଏ ଓଭରରେ ୨୮ ରନ ସଂଗ୍ରହ କରି ବିଜୟ ଉଜ୍ଜିବୀତ ରଖିଥିଲେ।  ହେଲେ ଅନ୍ୟପଟୁ ସହଯୋଗ ନମିଳିବାରୁ କୋଲକାତା ୧୯.୧ ଓଭରରେ ୨୦୨ ରନରେ ଅଲଆଉଟ୍ ହୋଇଛି। କମିନ୍ସ ୩୪ ବଲ୍‌ରୁ ୩ ଚୌକା ଓ ୬ ଛକା ସହ ୫୫ ରନ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର ୨୯ ରନ ଦେଇ ୪ ସଫଳତା ପାଇଥିଲେ। ଲୁଙ୍ଗି ଏନଗିଡି ୨୮ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଦୁଇ ଓପନର ଫାଫ୍ ଡୁପ୍ଲେସିସ୍ ଓ ଋତୁରାଜ ଗାଏକୋଓ୍ଵାଡ ବିସ୍ଫୋରକ ବ୍ୟାଟିଂ କରି ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ଦୁଇ ବ୍ୟାଟସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୧୨.୧ ଓଭରରେ ୧୧୫ ରନର ଶତକୀୟ ଭାଗିଦାରୀ କରିଥିଲେ। ଗାଏକଓ୍ଵାଡ ୪୨ ବଲ୍‌ରୁ ୬ ଚୌକା ଓ ୪ ଛକା ଜରିଆରେ ୬୪ ରନ କରିଥିଲେ। ପରିଶେଷରେ ବରୁଣ ଚକ୍ରବର୍ତ୍ତୀ ଏହି ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଏହା ପରେ ଫାପ୍ ଏବଂ ମୋଇନ ଅଲ୍ଲୀ ଦ୍ଵିତୀୟ ଓ୍ଵିକେଟ୍‌ରେ  ୫୦ ରନ ଯୋଡିଥିଲେ। ମୋଇନ ୧୨ ବଲ୍‌ରୁ ୨୫ ରନର ଦ୍ରୁତ ବ୍ୟାଟିଂ କରିଥିଲେ। ଧୋନୀ ୮ ବଲ୍‌ରୁ ୧୭ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଡୁପ୍ଲେସିସ୍‌ ୬୦ ବଲ୍‌ରୁ ୯ ଚୌକା ଓ ୪ ଛକା ସହ ୯୫ ରନ ସ୍କୋରରେ ଅପରାଜିତ ରହିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସ ବଳରେ ଚେନ୍ନାଇ ୨୦ ଓଭରରେ ୩ ଓ୍ଵିକେଟ୍  ହରାଇ ୨୨୦ ରନ କରିଛି।