Odia News Portal

ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ଆଜି ଘଟିଛି ଦୁର୍ଘଟଣା।

ସିଆଙ୍ଗ ଜିଲ୍ଲାର ସିଙ୍ଗିଙ୍ଗ ଗ୍ରାମ ନିକଟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନଟି ଟ୍ୟୁଟିଂ ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ । ​ଏନେଇ ଗୌହାଟିର ପ୍ରତିରକ୍ଷା ପିଆରଓ (PRO) ସୂଚନା ଦେଇଛି ଯେ ଉଦ୍ଧାରକାରୀ ଦଳ ପଠାଯାଇଛି ଏବଂ ଦୁର୍ଘଟଣା ଘଟିଥିବା ସ୍ଥାନ ସଡକ ମାର୍ଗ ଦ୍ୱାରା ସଂଯୋଗ ହୋଇନାହିଁ ।

ତେବେ ବର୍ତ୍ତମାନ କେଉଁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ କେତେ ଲୋକ ଅଛନ୍ତି ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ । ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା କୁହାଯାଉଛି । ଏହି ଘଟଣା ବିଷୟରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହାପୂର୍ବରୁ ଅକ୍ଟୋବର ୫ ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଅଞ୍ଚଳ ନିକଟରେ ଚିତା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ସେନା ପାଇଲଟଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଥାଉକି, ଯେ ଅକ୍ଟୋବର ୧୨ ରେ, ଭାରତୀୟ ନୌସେନାର ଏକ ମିଗ୍ -29 କେ ବିମାନ ଯାନ୍ତ୍ରିକ ତ୍ରୁଟି ପରେ ଗୋଆ ଉପକୂଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ତେବେ ଏହି ବିମାନର ପାଇଲଟ ବଞ୍ଚି ଯାଇଥିଲେ ଏବଂ ନାଭାଲ ମୁଖ୍ୟାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ‘ମିଗ୍ -29 କେ’ ହେଉଛି ଏକ ଯୁଦ୍ଧ ବିମାନ, ଯାହା ରୁଷର ମହାକାଶ ବିମାନ କମ୍ପାନୀ ମିକୋୟାନ୍ (ମିଗ୍) ଦ୍ୱାରା ବିକଶିତ ହୋଇଥିବା ଏକ ଯୁଦ୍ଧ ବିମାନ । ଭାରତୀୟ ନୌସେନା ଏକ ଦଶନ୍ଧି ପୂର୍ବରୁ ରୁଷରୁ ପ୍ରାୟ ୨ ବିଲିୟନ ଡଲାରରେ ୪୫ଟି ‘ମିଗ -29 କେ’ ବିମାନ କିଣିଥିଲା ।