ଅଶୋକାଷ୍ଟମୀ ତିଥିର ପବିତ୍ର ଅବସରରେ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର ।
ହୋ ଭଗତେ ଶବ୍ଦ ଗୁଞ୍ଜରିତ ହେବା କ୍ଷଣି ରଥ ଘର୍ଘର ନାଦ କରି ଗଡ଼ିବା ଆରମ୍ଭ କରିବ । ରଥ ଦଉଡ଼ି ଟାଣି ପୂର୍ଣ୍ଣ ହେବ ଭକ୍ତର ମନୋସ୍କାମନା । ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହେବେ । ମାଉସୀମା’ଙ୍କ ପୀଠରେ ୪ ଦିନ ଅବସ୍ଥାନ କରି ପୁଣି ଦ୍ୱାଦଶୀରେ ବାହୁଡ଼ିବେ । ଏଥିପାଇଁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ରଥ ପ୍ରତିଷ୍ଠା ସରିଛି । ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର ।
ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଳାଟୁନ ଫୋର୍ସ ଓ ୯୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହେବେ । ସେହିପରି ରଥଟଣା ଅପରାହ୍ଣ ସାଢେ ୩ଟାରେ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୭ଟାରେ ଶେଷ ହେବ ବୋଲି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ କହିଛନ୍ତି । ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ନିର୍ଦ୍ଧାରଣ କରିଛନ୍ତି ନୀତି ନିର୍ଘଣ୍ଟ । ପ୍ରଥମେ ଭୋର ୫ଟାରୁ ୫ଟା୩୦ ଯାଏ ମଙ୍ଗଳ ଆଳତୀ ପରେ ୬ଟା୩୦ ଯାଏଁ ସାହାଣମେଲା ଦର୍ଶନ । ୬ଟା ୩୦ରୁ ୭ଟା ଯାଏଁ ଛାମୁ ପରିଷ୍କାର । ସକାଳ ୭ଟାରୁ ୮ଟା ମହାସ୍ନାନ । ଶ୍ରୀ ଜିଉଙ୍କ ସକାଳ ଧୂପ ୮ଟାରୁ ୯ଟା୧୫ । ଭୁବନେଶ୍ୱରୀଙ୍କ ସକାଳ ଧୂପ ୯ଟା୪୫ ପର୍ଯ୍ୟନ୍ତ । ଭୋଗ ମଣ୍ଡପ ୯ଟା ୪୫ରୁ ୧୦ଟା ୪୫ । ଏହାପରେ ସୂର୍ଯ୍ୟ ପୂଜା ଓ ବେଶ ଦିନ ୧୨ଟା ପର୍ଯ୍ୟନ୍ତ । ୧୨ଟାରୁ ୧୨ଟା ୩୦ ଯାତ୍ରାପୂଜା । ଶ୍ରୀଜିଉଙ୍କ ପହଣ୍ଡି ଓ ରଥାରୁଢ଼ ୧୨ଟା୩୦ରୁ ଅପରାହ୍ଣ ୧ଟା୩୦ । ରଥରେ ପୂଜା ୧ଟା ୩୦ରୁ ୩ଟା ୩୦ । ଅପରାହ୍ଣ ସାଢ଼େ ୩ଟାରେ ରଥଟଣା ଆରମ୍ଭ । ସନ୍ଧ୍ୟା ୭ଟା୩୦ରେ ରାମେଶ୍ୱର ମନ୍ଦିରକୁ ବିଜେ ।
ରାମେଶ୍ୱର ମନ୍ଦିର ପହଞ୍ଚିବା ପରେ ସେଠାରେ ପ୍ରଥମେ ଅଶୋକା କୁଣ୍ଡ ପାଣିରେ ସ୍ନାନ କରିବେ ମହାପ୍ରଭୁ । ପରେ ୧୪ଟି ଅଶୋକା କଢି ଲାଗି କରାଯିବ । ଏହାପରେ ଭେଟ ଆଳତି ନୀତିରେ ମହାପ୍ରଭୁ ରାମେଶ୍ୱରଙ୍କୁ ସାକ୍ଷାତ କରିବେ । ଶେଷରେ ସେଠାରେ ମହାପ୍ରଭୁ ଆସ୍ଥାନକୁ ବିଜେ କରିବେ । ମାଉସୀମା’ଙ୍କ ଘରେ ୪ଦିନ ରହିବା ପରେ ଦ୍ୱାଦଶୀରେ ଫେରିବେ ବୋଲି ରାମେଶ୍ୱର ମନ୍ଦିର ପୂଜକ ଜୟଦେବ ପଣ୍ଡା କହିଛନ୍ତି । ରାମେଶ୍ୱର ମନ୍ଦିରଠାରେ ଅଶୋକାଷ୍ଟମୀ ସନ୍ଧ୍ୟା ପରଠାରୁ ଶ୍ରୀ ରାମେଶ୍ୱର ଚବିଶି ପ୍ରହର କମିଟି ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ଆୟୋଜିତ ହେବ । ସେହିପରି ଶ୍ରୀରାମ ନବମୀ ସକାଳ ୬ଟାରୁ ୬ଦଳ କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ମହାମନ୍ତ୍ର ନାମ ସଂକୀର୍ତ୍ତନ ୩ଦିନ ପର୍ଯ୍ୟନ୍ତ ଅହୋରାତ୍ରୀ କରାଯିବ ବୋଲି ଅନୁଷ୍ଠାନର ସଂପାଦକ ଭିକାରୀ ଚରଣ ସାହୁ କହିଛନ୍ତି ।
