Odia News Portal

ସାହିତ୍ୟ ସାଧକଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର- ଯାହାଙ୍କ ପାଖେ ଶବ୍ଦ ବି ନିଶବ୍ଦ ହୋଇ ଯାଉଥିଲା ସେ ହେଉଛନ୍ତି ବିଶିଷ୍ଟ ସାହିତ୍ୟ ସାଧକ ମନୋଜ ଦାସ । ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି । ଦୀର୍ଘ ୮ ମାସ ଧରି ପୁଡୁଚେରୀରେ ରହି ଚିକିତ୍ସିତ ହେଉଥିଲେ । ପୁଡୁଚେରୀ ସ୍ଥିତ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତରେ ରାଜ୍ୟର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଢ଼ଙ୍ଗୀ, ପ୍ରତାପ ଷଢ଼ଙ୍ଗୀ, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

ରାଜ୍ୟପାଳ ତାଙ୍କ ଶୋକ ବାର୍ତ୍ତାରେ ସ୍ୱର୍ଗତ ଦାସଙ୍କ ପରଲୋକ ଓଡିଆ ସାହିତ୍ୟ ପାଇଁ ଅପୁରଣୀୟ କ୍ଷତି ବୋଲି ଅଭିହିତ କରିଥିବା ବେଳେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିବା ସହ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଛନ୍ତି ।

ସେହିଭଳି ଗଣମାଧ୍ୟମ ବିଭାଗ ମୁଖ୍ୟ ମାନସ ମଙ୍ଗରାଜ ମନୋଜ ଦାସଙ୍କ ଅକାଳ ବିୟୋଗ ସମଗ୍ର ଭାରତୀୟ ସାହିତ୍ୟ ପାଇଁ ବିରାଟ କ୍ଷତି ବୋଲି କହିଛନ୍ତି । ଏହାସହ ସ୍ୱର୍ଗତ ଦାସଙ୍କ ପରଲୋକରେ ସେ ଗଭୀର ମର୍ମାହତ ହେବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ମନୋଜ ଦାସ ପଦ୍ମଶ୍ରୀ (୨୦୦୧) ଓ ପଦ୍ମଭୂଷଣ ସମ୍ମାନ (୨୦୨୦)ରେ ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ସରସ୍ୱତୀ ପୁରସ୍କାର ପାଇଥିଲେ ।