ଦୂର ହେଉନି ଜଳକଷ୍ଟ ,ଜଳ ସଙ୍କଟରେ ବେହରାଗୁଡ଼ା ଗ୍ରାମବାସୀ , ପିଇବା ପାଣି ପାଇଁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ନଳକୂପର ଲାଗୁଛି ଭିଡ । ଆଶାଥିଲା ବସୁଧା ଯୋଜନାରେ ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ , ଦୂର ହେବ ଜଳ ସଙ୍କଟ ।କିନ୍ତୁ ସ୍ଥିତି ଯେମିତି କି ସେମିତି । ବସୁଧା ଯୋଜନାରେ ପ୍ରକଳ୍ପ ହେଲା ପରେ ବି ଜଳ ସମସ୍ୟାରେ ଛନ୍ଦି ହୋଇ ପଡିଛନ୍ତି ଧର୍ମଗଡ଼ ବ୍ଲକ୍ ଛଞ୍ଚାଣ ବାହାଲୀ ପଂଚାୟତ ବେହେରାଗୁଡ଼ା ଗ୍ରାମବାସୀ । ଗ୍ରାମର ଜନସଂଖ୍ୟା ହାରାହାରି ୩ ହଜାର ରୁ ଉର୍ଦ୍ଧ ଥିବା ବେଳେ ଗ୍ରାମରେ ଥିବା ନଳକୂପ ମଧ୍ୟରୁ ଦୁଇ ରୁ ତିନି ନଳକୂପ ପାଣି ପିଇବା ପାଇଁ ପାଇଁ ଉପଯୋଗୀ । ଯାହାରି ଯୋଗୁଁ ନଳକୂପ ରେ ଦିନ ସାରା ଭିଡ ଲାଗିଥାଏ । ଗ୍ରାମରେ ଜଳ ସମସ୍ୟା ଦୂର ପାଇଁ ବସୁଧା ଯୋଜନାରେ ସରିଛି ପ୍ରକଳ୍ପ କାର୍ଯ୍ୟ , ଓଭର ହେଡ ଟ୍ୟାଙ୍କ ସାଙ୍ଗକୁ ଖୋଲାଯାଇଛି ଗଭୀର ନଳକୂପ , କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ସପ୍ତାହ ନ ପୁରୁଣୁ ଜଳଯୋଗାଣ ବନ୍ଦ ରହିଛି । ଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିୟମାନୁଯାୟୀ ଠିକାଦାର ଙ୍କ ଅଧୀନରେ ପାଞ୍ଚବର୍ଷ ଯାଏଁ ପ୍ରକଳ୍ପ ଦାୟିତ୍ୱରେ ରହିଥାଏ । ତାର ରକ୍ଷଣ ବେକ୍ଷଣ ସହ ପରିଚାଳନା କରିବା ଦାୟିତ୍ଵ ସରକାର ଟେଣ୍ଡର ରେ ଚୁକ୍ତିନାମା କରିଥାନ୍ତି । ହେଲେ ଏଠାରେ ସମ୍ପୂର୍ଣ୍ଣ ଭାବରେ ଠିକାଦାର ଅବହେଳା କରିଥିବା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଠିକାଦାର ବର୍ତ୍ତମାନ୍ ଯାଏଁ ଯାନ୍ତ୍ରିକ ପରିଚାଳନା ନିମନ୍ତେ କୌଣସି ବ୍ୟକ୍ତି ଙ୍କୁ ନିୟୋଜିତ କରି ନ ଥିବା ବେଳେ ତାର ଦେଖାରକ୍ଷଣରେ ଅବହେଳା ଦେଖାଦେଇଛି । ଯାହାର ଫଳରେ କୋଉଠି ପାଣି ଲିକ୍ ହେଉଛି ତୋ କୋଉଠି ଠପ ପଡ଼ିଯାଇଛି । ତେବେ ଏଥିରେ ବିଭାଗ ର ସମ୍ପୂର୍ଣ୍ଣ ଅହେତୁକ ମନୋଭାବ ଥିବା ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି । ଏହି ନୀତିକୁ ବୁଦ୍ଧିଜୀବି ମହଲରେ ତୀବ୍ର ସମାଲୋଚନା କରିବା ସହ ଠିକାଦାର ଓ ବିଭାଗ ଙ୍କ ମଧୁ ଚନ୍ଦ୍ରିକା ଥିବା ଚର୍ଚ୍ଚା ହେଉଛି । ସୁଚନା ଯେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ଅବସ୍ଥାରେ ନିମ୍ନ ମାନର କାମ ହେଉଥିବା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ହେଲେ ବିଭାଗୀୟ ଅଧିକାରୀ ସଂପୃକ୍ତ ଠିକାଦାର ଙ୍କୁ ଘଣ୍ଟ ଘୋଡାଇ ଆସୁଥିଲେ ଏପରିକି ଭିବାଗୀୟ ଯନ୍ତ୍ରୀ ଘଟଣା ସ୍ଥଳ କୁ ଆସି ତଦନ୍ତ କରି ନିମ୍ନ ମାନର କାମ ହେଇଥିବା ସ୍ବୀକାର କରିବା ସହ ଠିକାଦାର ଙ୍କୁ ଲୋକ ଦେଖାଣିଆ ଭାବେ ତାଗିଦ୍ କରିଥିଲେ । ଏପରିକି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସୂଚନା ଫଳକ ନାହିଁ ଫଳରେ କାର୍ଯ୍ୟ ସମ୍ବଦୀୟ ସୂଚନା ପାଇବାରୁ ଲୋକେ ବଞ୍ଚିତ ହୋଇଛନ୍ତି । ଜଳ ଯୋଗାଣ ଠପ୍ ପଡ଼ିଥିବା ଯୋଗୁଁ ଏବେ ଗାଁ ରେ ଉତ୍ତେଜନା ଦେଖାଦେଇଛି ତାର ସ୍ଥାୟୀ ପ୍ରତିକାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ଗଗନେ ବେମାଲ,ଉପେନ୍ଦ୍ର ଠାକୁର , ହେମାନାଥ ବାରିକ, ସିମଞ୍ଚକ୍ ବାରିକ,ଖିରସିନ୍ଧୁ ସାହୁ , ତ୍ରିନାଥ ପାଣିଗ୍ରାହୀ ,ଦେବେନ୍ଦ୍ର ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି । ଏ ନେଇ ଧର୍ମଗଡ଼ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଏହାର ସମାଧାନ କରି ଜଳଯୋଗାଣ କରାଯିବ ବୋଲି କହିଛନ୍ତି ।
