ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି । ଏହି ସମୟରେ ବିମାନବନ୍ଦରର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଏୟାରପୋର୍ଟରେ ଖେଳିଯାଇଛି ବୋମାର ଆତଙ୍କ । ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ବୋମାର ଭୟ ଦେଖାଯାଇଛି । ତେବେ ଏ ନେଇ ଆଶଙ୍କା ବୃଦ୍ଧି ପାଇବାରୁ ବମ୍ ସ୍କ୍ୱାର୍ଡ ଏବଂ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ଆଜି ଅପରାହ୍ନରେ ଏକ ପାର୍ସଲରେ ଭୁବନେଶ୍ୱର ବିମାନବନ୍ଦରକୁ ବୋମା ଆସିଥିବା ନେଇ ସୂଚନା ମିଳିଥିଲା । ଯାହାକୁ ଏୟାରପୋର୍ଟରେ ଭୟର ବାତାବରଣ ଦେଖାଯାଇଛି । ତେବେ ବୋମା ଥିବାର ସୂଚନା ପାଇବା ମାତ୍ରେ ସଜାଗ ହୋଇଥିଲା ସୁରକ୍ଷାବାହିନୀ । ବୋମା ଥିବା ନେଇ ସୂଚନା ମିଳିବା ପରେ ଡଗ୍ ୍କ୍ୱାର୍ଡ ଏବଂ ବମ୍ ସ୍କ୍ୱାର୍ଡଙ୍କୁ ବିମାନବନ୍ଦରକୁ ପଠାଯାଇଥିଲା । ତେବେ ଘଟଣାସ୍ଥଳରେ ଉଭୟ ଟିମ୍ ପହଞ୍ଚି ବୋମାକୁ ଖୋଜିବା ସହ ଏହା ନିଷ୍କ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହାସହିତ ବିମାନ ବନ୍ଦର ପରିସର ଏବଂ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି ।
ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ ହକି ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଭଳି ଏକ ଘଟଣା ଚିନ୍ତାର ବିଷୟ ପାଲଟିଛି । ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଭୁବନେଶ୍ୱର ଏବଂ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ।