ଚୀନରେ ସଂକ୍ରମଣ ବଢାଇଥିବା କରୋନାର ବିଏଫ.୭ ପ୍ରଜାତି ଭୂତାଣୁ ଭାରତରେ ବିଶେଷ ପ୍ରଭାବ ପକାଇପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ହାଇଦରାବାଦସ୍ଥିତ ସିଏସ୍ଆଇଆର ସିସିଏମବି ମୁଖ୍ୟ ବିନୟ ଏନ୍ ନନ୍ଦିକୋରି କହିଛନ୍ତି ଯେ ଭାରତୀୟଙ୍କ ଠାରେ ହର୍ଡ ଇମ୍ୟୁନିଟି (ଗୋଷ୍ଠୀ ରୋଗ ପ୍ରତିରୋଧକଶକ୍ତି) ରହିଛି। ତେଣୁ ବିଏଫ. ୭ ଭୂତାଣୁ ଭାରତରେ ସଂକ୍ରମଣ ବଢାଇ ପାରିବ ନାହିଁ। ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍ବି)ର ନିର୍ଦେଶକ ନନ୍ଦିକୋରି କହିଛନ୍ତି ବିଏଫ.୭ ପ୍ରଜାତି ଭୂତାଣୁ ଡେଲଟା ପ୍ରଜାତି ଭଳି ଘାତକ ନୁହେଁ। ଭାରତରେ ଡେଲଟା ପ୍ରଜାତି ଭୂତାଣୁର ଲହର ବିଶେଷ ପ୍ରଭାବ ପକାଇଥିଲା। ଏହି ଭୂତାଣୁରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ବିଏଫ୍ ୭ ପ୍ରଭାବ ପକାଇବ ନାହିଁ। ଭାରତୀୟମାନେ ବିଭିନ୍ନ ପ୍ରଜାତି ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ସେମାନଙ୍କ ପ୍ରତିରୋଧକ ଶକ୍ତି ବିଶେଷ ବୃଦ୍ଧି ପାଇଛି। ଏହା ସହିତ ଭାରତର ସମସ୍ତେ କରୋନା ଟିକା ନେଇଥିବାରୁ ସେମାନଙ୍କ ଠାରେ ଏହି ଭୂତାଣୁ ପ୍ରଭାବ ପକାଇବ ନାହିଁ। ଚୀନ ନାଗରିକଙ୍କ ଟିକାକରଣ ସଂଖ୍ୟା ବହୁତ କମ୍। ତେଣୁ ଏଠାରେ ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣ ବୃଦ୍ଧିର ଆଶଙ୍କା ନ ଥିଲେ ମଧ୍ୟ ସମସ୍ତେ କରୋନା ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ନନ୍ଦିକୋରି କହିଛନ୍ତି।