Odia News Portal

ଦୁଃଖର ସାଥି ବିଜୁ ଯୁବ ବାହିନୀ ! ମୃତ୍ୟୁ ପରେ କେହି ଉଠାଇବାକୁ ଆସିଲେନି ମୃତଦେହ, ଶବଦାହ କଲା ବିଜୁ ଯୁବ ବାହିନୀ

ଛତ୍ରପୁର: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଡ଼ମାଧପୁର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ମତ୍ୟୁ ପରେ ଶବଦାହ କରିବା ତ ଦୂରର କଥା କାନ୍ଧରେ ବୋହି ମଶାଣିକୁ ନେବାକୁ କେହି ଆସି ନ ଥିଲେ। ଏପରିସ୍ଥଳେ ବିଜୁ ଯୁବ ବାହିନୀର ସଦସ୍ୟମାନେ ମୃତଦେହକୁ ମଶାଣୀକୁ ନେଇ ଦାହ କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ୧୦ ଟାରେ ଉକ୍ତ ଗାଁର ତଳସାହିରେ ରହୁଥିବା ତଥା ଅବସରପ୍ରାପ୍ତ ସାମରିକ କର୍ମଚାରୀ ଡି. ଭାସ୍କର ରେଡ୍ଡୀଙ୍କ ମୃତ୍ୟୁ ହୋଇଥିଲା। ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁରେ  ଭାସ୍କରଙ୍କ ଘର। ସେ ଦ୍ୱିତୀୟ ବିବାହ କରିବା ପରେ ୭ ବର୍ଷ ହେଲା ବଡମାଧପୁର ଗାଁର ତଳସାହିରେ ରହିଆସୁଥିଲେ। ଭାସ୍କରଙ୍କ ଦୁଇଟି ଗୋଡରେ କୌଣସି କାରଣରୁ ଆଘାତ ଲାଗିବାରୁ ତାହା ସଂକ୍ରମଣ ହୋଇ ରହିଥିଲା। ଗୁରୁବାର ରାତି ୧୦ଟାରେ ଘରେ ହିଁ ଭାସ୍କରଙ୍କ ମୃତ୍ୟୁ ହୋଇଥିଲା । ତେବେ କୌଣସି କାରଣରୁ  ସାହି ତଥା କୁଟୁମ୍ବ କେହି ନ ଆସିବାରୁ ଶୁକ୍ରବାର ପୂର୍ବାହ୍ନ ୮ ଟା ପର୍ଯ୍ୟନ୍ତ ଘରେ ମୃତଦେହ ପଡ଼ି ରହିଥିଲା । ଏହି ଖବର ଶୁଣିବା ପରେ ବିଜୁ ଯୁବ ବାହିନୀର ସଦସ୍ୟମାନେ ଏକାଠି ହୋଇ ଭାସ୍କରଙ୍କ ଘରେ ପହଞ୍ଚିଥିଲେ। ନିକଟସ୍ଥ ଜଙ୍ଗଲରୁ କାଠ କାଟି ଆଣି ଯୁବବାହିନୀର ସଦସ୍ୟମାନେ କୋକେଇ ତିଆରି କରିଥିଲେ। ପରେ ସେମାନେ କୋକେଇରେ ମୃତଦେହକୁ ରଖି କାନ୍ଧରେ ଧରି ମଶାଣିକୁ ନେଇଥିଲେ। ସେଠାରେ ରୀତିନୀତିରେ ଶବ ସଂସ୍କାର କରିଥିଲେ। ଏଥିରେ ବିଜୁ ଯୁବ ବାହିନୀର ସଦସ୍ୟ ଅଜିତ ସ୍ବାଇଁ, ଘନଶ୍ୟାମ ବେହେରା, ସୁଧିର ନାହାକ, ବିକାଶ, କାହ୍ନୁ, ପଞ୍ଚୁ, ତପନ, ଭାସ୍କର, ବୁଦ୍ଧିଆ, ରାଜା, ବବୁଲୁ, ନୂତନ, ରବିନ୍ଦ୍ର ଏବଂ ଅନ୍ୟମାନେ ସାମିଲ ଥିଲେ। ତେବେ କର୍ମକର୍ତ୍ତାଙ୍କ ଏହି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି।