Odia News Portal

କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର : କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତ ସରକାରଙ୍କୁ ଭାରତୀ ଏଂଟର୍‌ପ୍ରାଇଜେସ୍ ଓ ଏହାର ବିଭିନ୍ନ କମ୍ପାନୀ ଭାରତୀ ଏୟାରଟେଲ୍‌, ଭାରତୀ ଇନ୍‌ଫ୍ରାଟେଲ୍ ଓ ଅନ୍ୟଗୁଡିକ ମିଳିତ ଭାବେ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ ଘୋଷଣା କରିଛନ୍ତି । ଭାରତୀ ଏଂଟର୍‌ପ୍ରାଇଜେସ୍ ଏହାର କର୍ପସ୍ ଫଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ପିଏମ୍‌-କେୟାର୍ସ ପାଣ୍ଠିକୁ ପ୍ରଦାନ କରିବ । କୋଭିଡ୍‌-୧୯ର ଏହି ବିଶାଳ ଯୁଦ୍ଧରେ ଆଗଧାଡିରେ ରହି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟରତ ଥିବା ଡାକ୍ତର, ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା ପ୍ରଦାନକାରୀଙ୍କ ପାଇଁ ମାସ୍କ, ପିପିଇ ଓ ଅନ୍ୟାନ୍ୟ ପ୍ରମୁଖ ଉପକରଣ ପହଂଚାଇବା ଲାଗି ଏହି ଅର୍ଥରାଶିକୁ ବିନିଯୋଗ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୧୦ ଲକ୍ଷରୁ ଅଧିକ ଏନ୍‌-୯୫ ମାସ୍କ ସଂଗ୍ରହ କରାଯାଇଥିବା ବେଳେ ସେଗୁଡିକୁ ତତ୍କାଳ ଆଧାରରେ ଉପଲବ୍ଧ କରାଯାଉଛି ।

ଭାରତୀ ଏଂଟର୍‌ପ୍ରାଇଜେସ୍ ପକ୍ଷରୁ ଦିଆଯାଇଥିବା ୧୦୦ କୋଟି ଟଙ୍କାର ଯୋଗଦାନ ସହିତ ଭାରତୀର କର୍ମଚାରୀମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ କମ୍ପାନୀ ଦ୍ୱାରା ଗଠନ କରାଯାଇଥିବା ଏକ ପ୍ଲାଟ୍‌ଫର୍ମ ମାଧ୍ୟମରେ କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତ ସରକାରଙ୍କୁ ସହାୟତା ପ୍ରଦାନ ଘୋଷଣା କରିଛନ୍ତି ଏବଂ ଭାରତୀ ଏୟାରଟେଲ୍ ମଧ୍ୟ ଏଥିରେ ସମାନ ମୁଲ୍ୟର ଟଙ୍କା ଯୋଗ କରିବ । ଭାରତୀର କମ୍ପାନୀଗୁଡିକ ଏହାର କର୍ମଚାରୀମାନଙ୍କ ଦ୍ୱାରା ଦିଆଯାଇଥିବା ସହାୟତା ରାଶିକୁ ୧୦୦ କୋଟି ଟଙ୍କାର ସହାୟତା ରାଶି ସହ ମିଶାଇ ଉକ୍ତ ଅର୍ଥରାଶିକୁ କୋଭିଡ୍‌-୧୯ ଅଭିଯାନ ପାଇଁ ପ୍ରଦାନ କରିବେ । ଏୟାରଟେଲ୍‌ର ନେଟ୍‌ୱାର୍କ ଟିମ୍ ଏଭଳି ଏକ ସଙ୍କଟ ସମୟରେ ଭାରତର ଡିଜିଟାଲ ମାଧ୍ୟମକୁ ବାଧାହୀନ ଭାବେ ପରିଚାଳନା ଜାରି ରଖିବା ପାଇଁ ଏବଂ ଲୋକମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସହ ଯୋଗାଯୋଗରେ ରହିବା ଲାଗି ତଥା ଘରୁ କାମ କରିବାକୁ ସକ୍ଷମ କରିବା ସୁନିଶ୍ଚିତ କରିବା ଲାଗି ୨୪ ଘଂଟା କାର୍ଯ୍ୟ ଜାରି ରଖିଛନ୍ତି ।