Odia News Portal

ରୋଗୀ ନୁହେଁ ରୋଗକୁ ଘୃଣା କର : ସୁବ୍ରତ ବାଗଚୀ

ଭୁବନେଶ୍ୱର  : ରୋଗୀ ନୁହେଁ, ରୋଗକୁ ଘୃଣା କର । କରୋନାକୁ ନେଇ ଗୁଜବ ପ୍ରଚାର କର ନାହିଁ । ଏଭଳି କିଛି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏହା ହେଉଛି ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ବାର୍ତ୍ତା । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ ଉତ୍କଳ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ପ୍ରତି ଶୁଭେଚ୍ଛା ବାର୍ତ୍ତା ପାଠ କରିବା ପରେ ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଥିଲେ ।

ସେ ବିଶେଷ ଭାବେ ଗତକାଲି ଚିହ୍ନଟ ହୋଇଥିବା ଚତୁର୍ଥ ପଜେଟିଭ୍‌ ବ୍ୟକ୍ତିଙ୍କ ବିଷୟରେ କହିଥିଲେ । ଭଦ୍ରକର ଏହି ୨୯ ବର୍ଷ ବୟସ୍କ ଯୁବକ ଜଣକ ମାର୍ଚ୍ଚ ୧୮ ତାରିଖରେ ଦୁବାଇରୁ ବିମାନ ଯୋଗେ କୋଲକାତା ଆସିଥିଲେ । ବିମାନବନ୍ଦରରୁ ସେ ଏକ ଟ୍ୟାକ୍ସିରେ ଆସିବା ପରେ ଇଷ୍ଟକୋଷ୍ଟ ଟ୍ରେନ୍‌ରେ ଆସି ଭଦ୍ରକ ଷ୍ଟେସନ୍‌ରେ ଓହ୍ଲାଇଥିଲେ । ଏହା ପରେ ଷ୍ଟେସନ୍‌ରୁ ଘରକୁ ଆସି ଅଲଗା ରହିଥିଲେ । ତାଙ୍କୁ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି ।